Unknown

 

 

 

 

 

 

 

 

 

ଶାମୁକାର ସ୍ୱପ୍ନ

ରାଧାମୋହନ ଗଡ଼ନାୟକ

 

୧୯।୧୦।୬୧

ଅନଗୁଳ

 

ମୋର ଗୁରୁକଳ୍ପ

ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର, ସାଲେପୁର

 

ଶାମୁକାର ବକ୍ଷପୁଟେ ଖୋଜ ତୁମେ

ମୁକ୍ତାର ସମ୍ଭାର,

‘ଶାମୁକାର ସ୍ୱପ୍ନ’ ତେଣୁ ତବ କରେ

ଦେଲି ଉପହାର ।

 

ରାଧାମୋହନ

 

ଭୂମିକା

 

ପୃଥିବୀର ନେପଥ୍ୟରେ ବହୁତ ଆତ୍ମା ନିଭୃତରେ ନୀରବରେ ଜୀବନ-ସୌରଭ ଦେଉଛନ୍ତି– ଜୀବନ-ସଙ୍ଗୀତ ଗାଉଛନ୍ତି କିନ୍ତୁ ଜଗତରେ ତାଙ୍କ ଦାନର ପ୍ରତିଦାନ ଯୁଗ ଯୁଗ ଧରି ମିଳିନାହିଁ–ମିଳୁନାହିଁ । ତଥାପି ସେଇ ଅବିନଶ୍ୱର, ଅବିସ୍ମରଣୀୟ ଆତ୍ମାର ଅଭିଯାନ ଚାଲିଛି । ସେଇ ଅସ୍ୱୀକୃତ ଅଥଚ କ୍ରାନ୍ତିଶୀଳ ଜୀବନର କେତେଗୁଡ଼ିଏ ସ୍ୱପ୍ନ ‘ଶାମୁକାର ସ୍ୱପ୍ନ’ରେ ସନ୍ନିବିଷ୍ଟ ।

 

ଦଶହରା

ରାଧାମୋହନ ଗଡ଼ନାୟକ

୧୯୬୧

ଅନଗୁଳ

 

ସୂଚୀପତ୍ର

 

୧.

ଶ୍ରୀୟା ଚଣ୍ଡାଳୁଣୀ

୨.

ବାଲ୍ମୀକି

୩.

ଶ୍ରମଣା

୪.

ଶ୍ରମଣାର ଅତିଥିଚର୍ଚ୍ଚା

୫.

ଗୁହକ

୬.

ଏକଲବ୍ୟ

୭.

ଆନନ୍ଦ ଓ ପ୍ରକୃତି

୮.

ଶମ୍ବୁକ

୯.

ଭୀମ ଭୋଇ

୧୦.

ରଇ ଦାସ

୧୧.

ରକ୍ତ ଓ ଦୁଗ୍‌ଧ

୧୨.

ଯସ୍‍ମା

୧୩.

ରାମୀ ଓ ଚଣ୍ଡୀଦାସ

୧୪.

ଟିପ୍‌ପଣୀ

Image

 

ଶ୍ରୀୟା ଚଣ୍ଡାଳୁଣୀ

 

[୧]

ମାର୍ଗଶିର ମାସର ସେଇ

ପହିଲି ଗୁରୁବାର,

ଉଷାର ଶିରୀ ଯୋଗାଉଥିଲା

ସୁନାର ଉପଚାର ।

ସାଗର-ବୁକେ ଉଛୁଳୁଥିଲା

ସୁନାର ଚଳ ଲହରୀ-ଲୀଳା,

ଦେଉଳ ନୀଳ ଚକ୍ରପରେ

ଅରୁଣ ରାଗ-ବିଭା,

ମରତପୁରେ ସରଗଶିରୀ

ଝଟକୁଥିଲା କିବା ।

[୨]

ଦେଉଳ ଛାଡ଼ି ବାହାର ହେଲେ

ଲକ୍ଷ୍ମୀ ଠାକୁରାଣୀ,

ଘରକୁ ଘର ବିହରିଗଲେ

ପଲକେ ସବୁ ଜାଣି ।

ଦେଖିଲେ କେଉଁ ଘରଣୀ କାହିଁ

ଅଳସ ଶେଯ ବରଜି ନାହିଁ,

ଦୁଆର ଘର ଅସନା ହୋଇ

ପଡ଼ିଚି ଚାରିଧାର,

ମଥାନ ପରେ ଡାମରା କାଉ

ରାବୁଚି ବାରବାର ।

[୩]

କାହାର ଘରେ କହଇ ଦାସୀ

‘‘ଲକ୍ଷ୍ମୀ-ପୂଜା ଆଜ,

ସ୍ନାହାନ ବେଗେ ସାଇଲେ ସିନା

ଥୋଇବି ପୂଜାସାଜ ।’’

ଲିପୁଚି ମୁହିଁ ପୂଜାର ଠାଆ,

ସହଳ ଟିକେ ଉଠ ଗୋ ମାଆ,

ଘୁମରୁ ଉଠି ଅଳସ ସୁରେ

କହିଲେ ସାଆଁତାଣୀ,

ମୋତେ ଯେ ତୁଉ ବତାଉଅଛୁ

ମୁଁଉ କି ନାହିଁ ଜାଣି ?’’

 

[୪]

ଲକ୍ଷ୍ମୀ ମାଆ ଦେଖିଲେ ଯାଇ

ନଗରୀ-ପ୍ରାନ୍ତରେ,

ଚଣ୍ଡାଳର କୁଟୀରଟିଏ

ଅତୁଳ ଛବି ଧରେ ।

ଗୋମୟ-ଲିପା ଅଗଣାତଳ

ଦିଶୁଚି କେଡ଼େ ସୁନିରିମଳ,

ନୟନ ମନ ନେଉଚି ହରି

ପିଠଉ-କମ-ଝୋଟି,

ଶତେକ ଦଳେ ହୋଇଚି ଲେଖା

ପଦ୍ମଫୁଲ ଗୋଟି ।

[୫]

ପଦ୍ମ ଫୁଲ- ଚିତ୍ର ଆଗେ

ଲକ୍ଷ୍ମୀ ପୂଜାରୁଣୀ,

ବସିଚି ଆଖି ନିମୀଳ କରି

ଶ୍ରୀୟା ଚଣ୍ଡାଳୁଣୀ ।

ଦୀପରେ ଜାଳି ଉଜଳ ଆଶ,

ଧୂପରେ ଢାଳି ସୁରଭି ଶ୍ୱାସ,

କଣ୍ଠ-ତାର ମୁଖର କରି

ଆବେଶ-ଭରା ତାନେ,

ମିନତି ତାର ଦଉଚି ବାଢ଼ି

ଭକତି-ଭରା ପ୍ରାଣେ ।

[୬]

‘‘ଆସ ଗୋ ମାଆ ଲକ୍ଷ୍ମୀ ଆଜି

ଚଣ୍ଡାଳୁଣୀ ଡାକେ,

ଅଛୁଆଁ-ଛୁଆଁ- ଭେଦ ଗୋ ମାଆ

ନାହିଁତ ତୋହ ପାଖେ ।

ମୋହରି ଏଇ ପଦ୍ମପରେ

ଆସ ଗୋ ମାଆ ବସ ଗୋ ଥରେ,

ପ୍ରାଣର ମୋର ଆରତି ଘେନ

ଆଉ ତ କିଛି ନାହିଁ,

କି ଉପଚାର ମିଳିବ ମୋତେ

ତୋହରି ପୂଜା ପାଇଁ ?

[୭]

କରୁଣା ତୋର ପାଉଚି ନିତି

ଏ ମୋର ମାଟି ଘରେ,

ଦୁଃଖେ ସୁଖେ କାଟୁଚି ଦିନ

ଶାନ୍ତି-ସୁହାଗରେ ।

କରମ କରି ତାହାର ଫଳ

ପାଉଚି ନିତି ଅନ୍ନ ଜଳ,

ସେନେହ ପ୍ରୀତି ବନ୍ଧନରେ

ସଭିଏ ଅଛୁ ମିଳି,

ଜୀବନ ଭରି ପାଉଚୁ ନିତି

ମାଆ ଲୋ ତୋହ ଶିରୀ ।’’

[୮]

ଅଚିରେ ତାର ନିମୀଳ ଆଖି

ମୁକୁଳି ଗଲା ଛାଆଁ,

ପଦ୍ମ ଫୁଲ ଚିତ୍ର ପରେ

ଦେଖିଲା ମହାମାଆ ।

ପଲକହୀନ ନୟନ ଭରି

ଦେଖିଲା ରୂପ ସୁଧାର ଝରୀ;

ଚରଣ ତଳେ ଲଗାଇ ମଥା

ଲୋଟାଇ ଦେଲା ହିୟା,

ହରଷ-ଭରା କଣ୍ଠ ତୋଳି

ସମ୍ଭାଷିଲା ଶ୍ରୀୟା ।

 

[୯]

‘‘ସତେ ଗୋ ମୋର ଲକ୍ଷ୍ମୀ ମାଆ,

ଆସିଲ ମୋର ଘରେ,

ସପନ ମୋର ସଫଳ ହେଲା

ହୀନ ଏ ଜୀବନରେ ।

ଧନ୍ୟ ହେଲି ଅଭାଗୀ ମୁହିଁ

ପୁଣ୍ୟ ହେଲା ଏ ମୋର ଭୂଇଁ,

ପୂର୍ଣ୍ଣ ହେଲା ଏ ମୋର ଆଶା

ଆଖିର ପଲକରେ,

ଜୁଆର ପରି ହୃଦୟ ମୋର

ଫୁଲଇ ପୁଲକରେ ।’’

[୧୦]

ଚଣ୍ଡାଳର ଘରଣୀ ସେଇ

ଶ୍ରୀୟା ଚଣ୍ଡାଳୁଣୀ,

ବାରକୁ ବାର ଲୋଟାଇ ମଥା

ନମିଲା ପୁଣି ପୁଣି ।

ତରଳ କଳା ଆଖିରୁ ତାର

ଝରିଲା ଖାଲି ସଲିଳ-ଧାର,

ଲକ୍ଷ୍ମୀ-ରୂପ ଆଖିରେ ଦେଖି

ଦୁନିଆ ଗଲା ଭୁଲି,

କହିଲା ଖାଲି ‘‘ମଥାରେ ମୋର

ଦିଅ ମା ପାଦ-ଧୂଳି ।’’

[୧୧]

ପୁଲକଭରେ ଲକ୍ଷ୍ମୀ ଦେବୀ

ବୋଇଲେ, ‘‘ଆଲୋ ଶ୍ରୀୟା,

ମୋହରି ପୂଜା କରିବା ପାଇଁ

ତୋହରି ଅଛି ହିୟା ।

ଆଶିଷ ଏବେ କରୁଛି ମୁହିଁ,

ସକଳ ଶିରୀ ଲଭିବୁ ତୁହି,

ସୁଖର ଘର ଦୁଆର କରି

ରହିବୁ ମହାସୁଖେ,

ଧରଣୀତଳେ କାଟିବୁ ଦିନ

ହରଷ-କଉତୁକେ ।’’

[୧୨]

ଦେଉଳ ମୁଖେ ଫେରିଲେ ଦେବୀ

ଦେଖିଲେ ଆଖି ଆଗେ,

ଆଗରେ ଉଭା ଜଗନ୍ନାଥ

ସିଂହଦ୍ୱାର ଭାଗେ ।

‘‘ଲକ୍ଷ୍ମୀ ଆଗେ କହିଲ ଦେଖି

ତୁମର ନାମେ ଶୁଣୁଚି ଏ କି ?

କୁଆଡ଼େ ଭଲା ବୁଲୁଚ ତୁମେ

ଦେଖିଲେ ବଡ଼ ଭାଇ,

ଚଣ୍ଡାଳର ଅଗଣାତଳେ

ବସି ଯେ ଥିଲ ଯାଇ ।

[୧୩]

କିଏ ସେ ଭଲା ପାରିବ ସହି ?

ତୁମର ଏଇ ରୀତି,

ଅପବିତ୍ର କରୁଛ କିଆଁ

ଦେଉଳେ ଆମ ନୀତି ।

କାହିଁକି ତୁମେ ଅପଥ ପଥେ

ବୁଲୁଚ ଭଲା ଇଚ୍ଛାମତେ ?

ଭାଇ ତ ଆଜି ଅଗ୍ନିବାଣ,

ମୁଁ ଏବେ ନିରୁପାୟ,

ଦେଉଳେ ନାହିଁ ତୁମର ଠାଇଁ

ଏଲାଗେ ଚାଲି ଯାଅ ।’’

 

[୧୪]

‘‘ଇଏ କି କଥା କହୁଚ ଦେବ ?

ପାରୁନି ମୁଁ ତ ବୁଝି,

ଇଏ କି ନୀତି ମହାପ୍ରଭୁ

କହୁଚ ଆଖି ବୁଜି ?

କରୁଚି ମୁଁ ଯେ ଅନ୍ନଦାନ

ସକଳ ଘରେ ମୋହର ଥାନ,

ସୃଷ୍ଟି ତବ ପାଳିବା ପାଇଁ

ଘୁରୁଚି ଅବିରଳ,

କିଏ ସେ ନୁହେଁ ନିଜର ମୋର ?

କିଏ ସେ ମୋର ପର ?’’

[୧୫]

ଜଗନ୍ନାଥ ବୋଇଲେ, ‘‘ଏଥେ

ନାହିଁ ଯେ ମୋର ଦୋଷ,

ନିଶ୍ଚୟ ମୁଁ ସାଧିବି, ଭାଇ

ଲଭିବେ ଯହିଁ ତୋଷ ।

ଲକ୍ଷ୍ମୀ ମୋର ପ୍ରାଣର ପ୍ରିୟା,

ଉଛୁର ଆଉ କରୁଚ କିଆଁ ?

ବୃଥାରେ ଭଲା କାହିଁକି ଆଉ

ଚାହୁଁଚ ମୋର ମତ ?

ଯୁଆଡ଼େ ମନ ସିଆଡ଼େ ଯାଅ

ମୁକ୍ତ ତୁମ ପଥ ।’’

[୧୬]

ଚରଣ-ରେଣୁ ମଥାରେ ଘେନି

ଆଖିରେ ଭରି ଜଳ,

ସିନ୍ଧୁ-ଜେମା ବୋଇଲେ ବାଣୀ

କଣ୍ଠ ଥର ଥର ।

‘‘ଯାଉଚି ଆହେ ପରାଣପ୍ରିୟ,

ଅଭାଗିନୀର ହୃଦୟ ନିଅ ।

ନିଠୁର ତୁମେ ଦେବତା ମୋର

ମୁରୁଛି ଦେଲ ସିନା,

ଜୀବନ ମୋର ମରଣ ଏବେ

ହୋଇବ ତୁମ ବିନା ।’’

[୧୭]

ଜଗନ୍ନାଥ ମହାପ୍ରଭୁ

ଦେଉଳେ ଗଲେ ଫେରି,

ଲକ୍ଷ୍ମୀ ଏଣେ ଧଇଲେ ପଥ

ନକରି ଆଉ ଡେରି ।

ବଳଭଦ୍ର ପୁଛିଲେ ତହୁଁ

‘‘କୁଆଡ଼େ ଏବେ ଗଲେ ଯେ ବହୂ ?’’

ଅଚଳ ହୋଇ ଜଗନ୍ନାଥ

ଉତ୍ତରିଲେ, ‘‘ଏଇ,

ଆସିଲି ପରା, ଇନ୍ଦିରାକୁ

ବିଦାୟ କରି ଦେଇ ।’’

[୧୮]

ଦେଉଳ-ଶିରୀ ଉଭେଇ ଗଲା

ଲକ୍ଷ୍ମୀ ସାଥେ ସାଥେ,

ବଳଭଦ୍ର ଜଗନ୍ନାଥ

ଦେଖିଲେ ସାରା ରାତେ ।

ପ୍ରଭାତେ ପୁଣି ଦେଖିଲେ ଚାହିଁ

ପାଶରେ କେହି ସେବକ ନାହିଁ,

ପନୀର କାହିଁ କିଏ ସେ ଦେବ ?

ଶ୍ରୀମୁଖ ହେବେ ଧୋଇ,

ଗୋଟାଏ ଦିନେ ଦେଖିଲେ ଏ କି

ଲକ୍ଷ୍ମୀଛଡ଼ା ହୋଇ ।

 

[୧୯]

ବଳଭଦ୍ର ଜଗନ୍ନାଥ

ଦେଖିଲେ ଦୁରୁଯୋଗ;

ଦେଉଳେ ଆଉ ଏଣିକି କାହିଁ

ଲାଗିଲା ନାହିଁ ଭୋଗ ।

ଦିନକେ ସବୁ କୁହୁକ ପରା

ମନ୍ଦିରରୁ ଉଭେଇ ଗଲା ।

ବ୍ରାହ୍ମଣର ମୂରତି ଧରି

ଅନ୍ନ ପାନ ପାଇଁ,

ଦେଉଳ ଛାଡ଼ି ବାହାର ହେଲେ

ଦୁଃସ୍ଥ ବେନି ଭାଇ ।

[୨୦]

ସାଇରୁ ସାଇ ନଗରୀ ସାରା

ଘୂରିଲେ ବେନି ଭାଇ,

କିଏ ସେ ଦେବ କଅଣ ଦେବ ?

ମିଳୁଚି ଅବା କାହିଁ ?

ତଥାପି ବେନି ଭିକ୍ଷା ଆଶେ

ମିଳିଲେ ଯାଇ ବହୁତ ବାସେ,

ଯାହାର ଦ୍ୱାରେ ହୋଇଲେ ଉଭା

ଆଚମ୍ବିତ ଆହା,

ଦାତାର ଘରୁ ଉଭେଇ ଗଲା

ଦେବାର ଥିଲା ଯାହା ।

[୨୧]

ଲକ୍ଷ୍ମୀଛଡ଼ା ସୋଦର ବେନି

ଚାଲିଲେ ଦୂରେ ଦୂରେ,

କ୍ଷୁଧାରେ ଅତି କାତର ହୋଇ

ବସିଲେ ତରୁ-ମୂଳେ ।

‘‘ପେଟର ଜ୍ୱାଳା ଜୀବନଦାହୀ

ଜଗାରେ ସହି ପାରିବା ନାହିଁ ।

ଏଇଠି ପ୍ରାଣ ରହିବ ନାହିଁ

ଧରିବା ଦୂର ପଥ ।’’

ଜଗନ୍ନାଥ ବୋଇଲେ, ‘‘ଆଉ

ଚଳୁଚି ଟିକି ରଥ ?’’

[୨୨]

ସାଗର-ଧାରେ ବାଲୁକାପରେ

ଥକିତ ପାଦେ ଯାଇ,

ନୂତନ ଏକ ନଅର ପାଶେ

ମିଳିଲେ ବେନି ଭାଇ ।

ଅନ୍ନହୀନେ ଅନ୍ନଦାନ

ଚାଲିଚି ତହିଁ ଅବିଶ୍ରାମ

ଫେରୁଚି ଭୋକୀ, ଫେରୁଚି ଶୋଷୀ

ସଫଳ କରି ଆଶା,

ମୁଖରେ ତୋଳି ଆନନ୍ଦର

ଉଲ୍ଲାସର ଭାଷା ।

[୨୩]

ଦୁଆରେ ରହି ବେଦଧ୍ୱନି

ତୋଳିଲେ ବେନି ଭାଇ,

‘‘ଗୋସାଇଁ ତୁମେ’’       ପୁଛଇ ଦାସୀ,

‘‘ଆସିଛ କାହିଁ ପାଇଁ ?’’

ମନର ଆଶା ପୂରିବ ଜାଣି

ବଳଭଦ୍ର ବୋଇଲେ ବାଣୀ,

‘‘ଭୋକିଲା ଦୁଇ ବ୍ରାହ୍ମଣରେ

ଅନ୍ନ କର ଦାନ,

ଦି’ଦିନ ହେଲା ମିଳିନି କିଛି

ରଖ ଗୋ ଆମ ପ୍ରାଣ ।’’

 

[୨୪]

‘ଜାଣନି ବୋଧେ ଆମର ଏଯେ

ଚଣ୍ଡାଳର ଘର,

ଆମର ପାକ ଛୁଇଁବ ନାହିଁ

ତୁମେ ଯେ ଦ୍ୱିଜବର ।

ରୋଷେଇ ସାଜ ସାଆନ୍ତାଣୀ

ଦେବେ ଯେ ମୁହିଁ ଦେଉଚି ଆଣି,

ଯତନ କରି ଏଲାଗେ ତୁମେ

ରାନ୍ଧି ବାଢ଼ି ଖାଅ,

ଭୋଜନ ପରେ ଦଖିଣା ନେଇ

ସୁଖରେ ଚାଲି ଯାଅ ।’’

[୨୫]

ବଳଭଦ୍ର ଜଗନ୍ନାଥ

ହୋଇଲେ ତହିଁ ରାଜି,

କିପରି ମୁଠେ ଅନ୍ନ ଜୁଟୁ

ଜୀବନ ରହୁ ଆଜି ।

ଚାଉଳ ଡାଲି ପରିବାମାନ;

ରନ୍ଧନର ସରଞ୍ଜାମ

ଦାସୀଏ ପୁଣି ଥୋଇଲା ଆଣି

ନୟନ ଲୋଭନିଆ;

ଅପର ଦାସୀ ଯତନେ ଆଣି

ଥୋଇଲା କାଠ ନିଆଁ ।

[୨୬]

ଜଗନ୍ନାଥ ଜାଳିଲେ ଚୁଲି

କେଜାଣି ଭଲା କିଆଁ ?

ପତନ କରି ଜାଳିଲେ ମିଶେ

ଜଳିଲା ନାହିଁ ନିଆଁ ।

ଜୋ’ର କରି ଫୁଁକିଲେ ସିନା,

ଶେଷକୁ ଖାଲି ଥକିଲେ ସିନା,

ଜଳିଲା ନାହିଁ ଚୁଲିର କାଠ

ଉଠିଲା ଖାଲି ଧୂଆଁ;

ଧୂଆଁରେ କଳା ହୋଇଲେ ପ୍ରଭୁ

ଜଗତ-ବିନୋଦିଆ ।

[୨୭]

‘ଚୁଲିଟା ଜାଳି ପାରୁନୁ ଜଗା,

ସବୁଠି ପୁଣି ଆଗ ।

ଦେଖୁଚି ତୋର ହାତରେ ଏବେ

ସିଝିବ ନାହିଁ ଶାଗ ।’’

ଜ୍ୟେଷ୍ଠ ଭାଇ ବହୁତ ତାପେ,

ଚୁଲିର ନିଆଁ ଜାଳିଲେ ଆପେ,

ନିଆଁ ତ ଜମା ଜଳିଲା ନାହିଁ

ଲାଗିଲା ନାହିଁ କାଠ,

ଚୁଲିରେ ପାଣି ଅଜାଡ଼ି ଦେଲେ

ନଦେଖି ଆଉ ବାଟ ।

[୨୮]

ଅନ୍ତରାଳୁ ବାହାରି ପଡ଼ି

ବୋଲଇ ପରିଚାରୀ,

‘‘ଗୋସାଇଁ ତୁମେ କଅଣ କଲ ?

ଗଲ ତ ଏବେ ହାରି !

ବଳଭଦ୍ର ବୋଇଲେ ତହିଁ

‘‘ଦାସି ଗୋ ଏବେ ଜୀବନ ରହୁ,

ତୁମରି ପାକ ଅନ୍ନ ମୁଠେ

ତୁରିତ କର ଦାନ,

ଜାତିର ମାନ ଖୋଜୁଚି କିଏ

ଯାଉଚି ଯେବେ ପ୍ରାଣ ?’’

 

[୨୯]

ଦିବ୍ୟପାକ ଆସିଲା ତହିଁ

ଆତିଥିଜନ ପାଇଁ,

ହରଷେ ବସି ଭୋଜନ କଲେ

ଆତୁର ବେନି ଭାଇ ।

‘‘ଲକ୍ଷ୍ମୀ ପାକ ପରାଏ ସତେ ।

ଜଗା ରେ ଏହା ଲାଗୁଚି ମତେ ।’’

ଜଗନ୍ନାଥ ବୋଇଲେ, ‘‘ଭାଇ

ଥାଉ ସେ କଥା ଥାଉ,

ହରେଇ ଅଛେ ଯେ ସୁଖ ଭଲା

ଭାବୁଚ କିଆଁ ଆଉ ?

[୩୦]

ଅନ୍ନପରେ ଆସିଲା ପୁଣି

ଦୁଇଟି ପୋଡ଼ପିଠା,

ବଳଭଦ୍ର ବୋଇଲେ, ‘‘ଜଗା,

ସିମିତି ଏ ତ ମିଠା,

ଭୁଞ୍ଜିଲେ ଯେ ଖାଦ୍ୟଯାକ

ଭାବୁଚି ମୁହିଁ ଲକ୍ଷ୍ମୀପାକ,

ଲକ୍ଷ୍ମୀବିନା ନୋହିଲେ କିଏ

ଏ ପୋଡ଼ ପିଠା ଆଣି,

କହିଲୁ ଦେଖି ଯୋଗାଇ ଦେବ

ଆମର ମନ ଜାଣି ।’’

[୩୧]

ଭୋଜନ ସାରି ହରଷଭରେ

ବଢ଼ାଇ ଆଚମନ

ଭାଇରେ ଡାକି ଜ୍ୟେଷ୍ଠଭାଇ

ଭାଷିଲେ ସୁବଚନ ।

‘‘ମୋହରି ଯୋଗେ ଏ ଧରାଧାମେ

ଲକ୍ଷ୍ମୀଛଡ଼ା ହୋଇଲେ ଆମେ,

ନିମିଷକରେ ଆମର ସବୁ

ଭାଗ୍ୟ ଗଲା ଜଳି,

କଳନାହୀନ ଦୁର୍ଦ୍ଦଶାରେ

ହୋଇଲେ ଏତେ ସରି ।

[୩୨]

ଲକ୍ଷ୍ମୀ ଦେବୀ ତୁଷ୍ଟ ପୁଣି

ହୋଇବେ କେଉଁପରି

କିପରି ଅବା ଆମର ଘର

ଉଠିବ ପୁଣି ଭରି ।

ବୃଥାରେ ମୁହିଁ କଲି ଯେ ରୋଷ

ଭାବୁଚି ଏବେ ତାହା ମୋ ଦୋଷ ।’’

‘‘ସନ୍ତାପିଲେ କି ହେବ ଆଉ?’’

ବୋଇଲେ ସାନ ଭାଇ,

‘‘ଗଲାଣି ଗଲା କଥା ତ ଏବେ

ଭାଳୁଚ କାହିଁ ପାଇଁ ।’’

[୩୩]

ଅନ୍ତରାଳୁ ସିନ୍ଧୁଜେମା

ବାହାରି ପଡ଼ି ଖରେ

ଦୂରରୁ ଟିକେ ନମିଲେ ବେନି

ଦେବତା ପାଦତଳେ

ମରମେ ଭରା ପୁଲକ ପାଇ

ବିଭୋର ହେଲେ ଯୁଗଳ ଭାଇ ।

ବଳଭଦ୍ର ବୋଇଲେ, ‘‘ଦେବି,

ଭୁଲ ଗୋ ମୋର ଦୋଷ,

ମନ୍ଦିରକୁ ଚାଲ ଗୋ ଏବେ

ହୃଦୟେ ଘେନି ତୋଷ ।’’

 

[୩୪]

‘‘ବହୁତ କଥା ହେଲାତ ଆଗୋ

ଲକ୍ଷ୍ମୀ ଠାକୁରାଣୀ’’

ପାଶକୁ ଯାଇ ଜଗନ୍ନାଥ

ଭାଷିଲେ ଧୀର ବାଣୀ ।

‘‘କଅଣ ଆଉ ଭାବୁଚ ତେବେ ?

ଦେଉଳେ ଚାଲ ଫେରିବା ଏବେ ।

ଆମର ସବୁ ଦୁଃଖ ଦଶା

ସାଙ୍ଗ ହେଉ ଆଜି,

ତୁମକୁ ପାଇ ପୁଣି ଏ ଆମ

ଦେଉଳ ଉଠୁ ସାଜି ।’’

[୩୫]

‘‘ପ୍ରଭୁ ହେ ତୁମ ଆଦେଶ ପାଇ

ଦେଉଳ ଛାଡ଼ିଥିଲି,

ପୁଣି ଏ ତୁମ ଆଦେଶ ପାଇ

ଯିବି ମୁଁ ଯିବି ଫେରି ।

ମାତର ଦେବ ଗୋଟିଏ ଅଳି,

କୁହ ତ ଏବେ ବିଚାର କରି,

ସେ ଯେଉଁ ଶ୍ରୀୟା ପୂଜାରେ ମତେ

ଘରକୁ ନେଲା ଟାଣି,

ତାହାର କଥା କଅଣ ଭଲା

ବୁଝୁଚ ମହାମାନୀ ।’’

[୩୬]

‘‘ଶ୍ରୀୟାର କରେ ତୁମେ ତ ଦାନ

ଦେଇଚ ଭରପୂର,

ଶ୍ରୀୟାର ଯୋଗେ       ଉଦ୍ଧରିବେ

ଏବେ ତା ଜାତିକୁଳ ।

ଏଣିକି ଆମ ଦେଉଳେ ଜାଣ

ସଭିଏ ହେବେ ଏକଇ ପ୍ରାଣ,

ଦେଉଳେ ଥିଲା ଯେ ଭେଦାଭେଦ

ଏଥର ହେଲା ରଦ,

ଚଣ୍ଡାଳର ହାତରୁ ଦ୍ୱିଜ

ଖାଇବେ ମାହାରଦ ।’’

Image

 

ବାଲ୍ମୀକି

 

‘‘ଶୁଭ ମଙ୍ଗଳ ଉତ୍ସବେ ଆଜି

କହ ଏ କି ହେଲା ଯାଦବବୀର ।’’

ଶଙ୍କିତ ମନେ ଚକିତ ବଚନେ

ଜଣାଇଲେ ରାଜା ଯୁଧିଷ୍ଠିର ।

‘‘ଯଜ୍ଞରେ ଏବେ ପୂର୍ଣ୍ଣ ଆହୁତି

ସକଳେ ଜଣାଇ ଦେବାର ପାଇଁ

ଯେତେ ପରକାରେ ବଜାଇଲା ଭୀମ,

ଶଙ୍ଖ ତ କାହିଁ ବାଜଇ ନାହିଁ ।’’

ଭୁରୁ କୁଞ୍ଚିତ କରି ଅଚ୍ୟୁତ

ଭାଷିଲେ ଅଚିରେ, ‘‘ଧର୍ମରାଜ,

ଶୁଭ ଏ ତୁମର ଯଜ୍ଞରେ ଜାଣ

ପ୍ରମାଦ ସେ ଏକ ହୋଇଚି ଆଜ ।

ନଗର ସୀମାରେ ଜୀର୍ଣ୍ଣ କୁଟୀରେ

ଅଛଇ ସେ ଏକ ନୀରବ ସାଧୁ,

ନିଜର ଜୀବିକା ଧରି ବଞ୍ଚଇ

ଦୂରେ ଦୂରେ ରହି ସକଳ ବାଦୁଁ ।

ବିପୁଳ ଏ ତୁମ ଯଜ୍ଞଶାଳାକୁ

ହୋଇନାହିଁ ଆଜି ଅର୍ଚ୍ଚିତ ସେ,

ପ୍ରିୟ ପ୍ରୀତିଜନ ସଙ୍ଗରେ ତବ

ହୋଇ ନାହିଁ ଅବା ଚର୍ଚ୍ଚିତ ସେ ।’’

‘‘କିଏ ସେ, କିଏ ସେ ପୁଣ୍ୟ ଚରିତ ?’’

ପଚାରିଲେ ରାଜା ଆବେଗ ଭରେ,

କୃଷ୍ଣ ବୋଇଲେ, ‘‘ବର୍ଣ୍ଣରେ ମୋଚି,

ମହାମତି ସିଏ ଏ ମହୀତଳେ ।

ବୃତ୍ତି ଚଳାଇ ଅର୍ଜଇ ଯାହା

ଦାରା ସନ୍ତତି ଚାଳଇ ତହିଁ,

ବ୍ୟଥିତର ବ୍ୟଥା ଦେଖିଲେ ନୟନେ

ନୟନୁ ଢାଳଇ ଲୋତକ ନଈ ।

ହିଂସା କଅଣ ଜାଣଇ ନାହିଁ ସେ

କରଇ ନାହିଁ ସେ କାହାର ହାନି,

ପଡ଼ୋଶୀ କୁଳର ସେବାରେ ଥାଏ ସେ

କହେ ନାହିଁ କେବେ ଛଦ୍ମ-ବାଣୀ ।

ସ୍ଫଟିକ ପରାଏ ନିର୍ମଳ ମନ

ସହଜ ସରଳ ଗୁଣର ଧାମ,

ବର୍ଣ୍ଣରେ ମୋଚି, ଧର୍ମରେ ଦ୍ୱିଜ

ବାଲ୍ମୀକି ସେହି ସାଧୁର ନାମ ।’’

ସମ୍ରାଟ ତହୁଁ ବିହିଲେ ଆଦେଶ

ବିପୁଳ ହରଷ ଆକୁଳ ଗିରେ,

‘‘ବେଗେ ଯାଅ ଭୀମ ବରଣକରି ତୁ

ଆଣ ସେଇ ସାଧୁ ବାଲ୍ମୀକିରେ ।’’

ନଗର ସୀମାରେ ମିଳି ବୀରବର

ଜଣାଇଲେ ଧୀର ନମ୍ର ଭାଷେ

‘‘ରାଜ-ଅର୍ଚ୍ଚନା ଘେନ ହେ ଅତିଥି,

ଚାଲ ଏବେ ଚାଲ ନୃପତି ପାଶେ ।’’

‘‘ଉଛବ ସଭାରେ ଅଛବ ଜନ ମୁଁ

ଅତି ଦୀନ ହୀନ ଏ ଅଭାଜନ ।’’

ବିନୟ ବଚନେ ବାଲ୍ମୀକି କହେ,

‘‘ମୋ ପାଇଁ ଆଣିଚ ନିମନ୍ତ୍ରଣ ।

ଶୂନ୍ୟ କୁଟୀର ପୂର୍ଣ୍ଣ କରିଚ

ଆଦରେ ତୁମର ଚରଣପାତେ,

ରାଜ ପରସାଦ ଏଡ଼ି କି ପାରିବି ?

ଚାଲ ଯିବି ଚାଲ ତୁମରି ସାଥେ ।’’

 

[୨]

 

ସଭା-ଅଙ୍ଗନ ମୁଖରି ଉଠିଲା

କଳ-ଗୁଞ୍ଜନ-ମୁଖର ସ୍ୱରେ

ଜନତାର ଢେଉ ଉଛୁଳି ପଡ଼ିଲା

ବିପୁଳ ପୁଲକ-ଆବେଗଭରେ ।

ଶତ ପରିଚାରୀ ସଙ୍ଗରେ ଘେନି

ହୁଳୁ ହୁଳି ଦେଇ ହରଷ ମନେ

ପାଟ ମହାଦେଈ ଦ୍ରୌପଦୀ ଆସି

ବନ୍ଦାଇ ନେଲେ ସଭାଙ୍ଗନେ ।

ପ୍ରୀତି-ବାହୁ-ପାଶେ ଅତିଥିରେ ଘେନି

ବଚନ ବୋଇଲେ ଧର୍ମରାଜ,

‘‘ପୁଣ୍ୟ ଚରିତ ଆହେ ବାଲ୍ମୀକି

କ୍ଷମା ଦିଅ ମତେ ଦିଅ ହେ ଆଜ ।

ବରି ଆଣି ପାରି ନ ଥିଲି ଅତିଥି

ପ୍ରମାଦ କରିଚି ଏ ମୋର ଯୋଗେ;

ଆଜିର ଏ ମହା ଉତ୍ସବେ ମୁହିଁ

ତୁମରି ମନର ପ୍ରସାଦ ମାଗେ ।’’

ଯଜ୍ଞରେ ଏବେ ପୂର୍ଣ୍ଣ ଆହୁତି

ସଭାରେ ଶୁଣାଇ ଦେବାର ପାଇଁ

ପୁଲକରେ ତହୁଁ ବଜାଇଲେ ଭୀମ

ତଥାପି ଶଂଖ ବାଜିଲା ନାହିଁ ।

 

[୩]

 

କୃଷ୍ଣ ବୋଇଲେ, ‘‘ଅନ୍ୟ ଭାବ କି

ରହିଅଛି ଭଲା କାହାର ମନେ ?

ଶଂଖ ତ ଏଇ ବାଜିଲା ନାହିଁ ଯେ

କି ଅଛି କାହାର ହୃଦୟକଣେ ?’’

ଆଖିର ପଲକେ ଦେଖିଲେ ସକଳେ

ହୃଦୟ ଫିଟାଇ ବିନୟ ଗିରେ

ଦୀପ୍ତ ସଭାରେ ନମ୍ର ମଥାରେ

ଜଣାଇଲେ ଭୀମ ବାଲ୍ମୀକିରେ ।

‘‘ରାଜାଦେଶ ପାଇ ଆହେ ମହାମତି

ଯାଇଥିଲି ଯେବେ ତୁମରି ବାସେ

ଉପାନହ ତୁମେ ତିଆରୁ ଥିଲ ତ

ଦେଖିଲି ତୁମର ଦୁଆର ପାଶେ ।

ନୟନରେ ଦେଖି ଭାବିଲି ମନରେ

‘‘ଅତିଥି କି ରାଜ ଯୋଗ୍ୟ ଏଇ ?’’

ହୃଦୟେ କରିଚି ସେଇ ଅପରାଧ

ଜଣାଉଚି ଏବେ ହୃଦୟ ଫେଇ ।

ନିର୍ମଳ ମନେ କ୍ଷମା ଦିଅ ମତେ,

କ୍ଷମାଦିଅ ମତେ ହେ ମହାଭାଗ

ତୁମ୍ଭରି ପ୍ରସାଦେ ଶୁଭେ ବଢ଼ୁ ଆଜି

ଏ ଶୁଭ ବିଧାନ ଏ ମହାଯାଗ ।’’

‘‘ଅଦଭୁତ ସବୁ ଲାଗୁଅଛି ମତେ’’

ସାଧୁ ବାଲ୍ମୀକି ଉଠଇ କହି

‘‘ପଲକ ଭିତରେ ଏ କି ଛାୟାବାଜି

ଦେଖୁଚି ଦଗଧ ନୟନ ବହି ।’’

‘‘ଯଜ୍ଞରେ ତବ ପୂର୍ଣ୍ଣ ଆହୁତି ।’’

ଦ୍ୱାରକାର ରାଜା ବୋଇଲେ ତେବେ,

‘‘ଭୀମ ହେ ଏଥର ଉଠ ଚଞ୍ଚଳ

ବଜାଅ ଶଂଖ ବଜାଅ ଏବେ ।’’

ଖର ଉଦ୍ବେଗେ ବଜାଇଲେ ଭୀମ,

ଶଂଖ ଏଥର ଉଠିଲା ବାଜି;

ନୃପତି ବୋଇଲେ ‘‘ସାଧୁ ବାଲ୍ମୀକି,

ତୁମକୁ ପାଇ ମୁଁ ଧନ୍ୟ ଆଜି ।’’

Image

 

ଶ୍ରମଣା

 

[୧]

ପମ୍ପାପୁଳିନେ ଆଶ୍ରମ ମଣ୍ଡଳେ

ଛାୟାମଣ୍ଡିତ ବକୁଳ ବେଦୀର ତଳେ,

ମତଙ୍ଗ ମୁନି ଏକୁଟିଆ ଥିଲେ ବସି,

ଚଞ୍ଚଳ ପଦେ ହାସ୍ୟ-ଉଜଳ ମୁଖେ

କିଏ ସେ କିଶୋରୀ ମିଳିଗଲା ତହିଁ ଆସି ।

[୨]

ସମ୍ମୁଖେ ଥୋଇ ଅର୍ଘ୍ୟ କୁସୁମଫଳ

ଭକ୍ତି-ଆବେଗେ ବନ୍ଦି ଚରଣତଳ,

‘‘ଆହେ ଗୁରୁଦେବ’’ କହିଲା ବିନୟଭାଷେ

‘‘ମାଳବାସିନୀ ମୁଁ ଶ୍ରମଣା ମୋହର ନାମ

ଆସିଅଛି ତବ ଶିଷ୍ୟା ହେବାର ଆଶେ ।’’

[୩]

କୈଶୋରିକାର ଅନ୍ତର-ବାଣୀ ଶୁଣି

ସେନେହ ବଚନେ ପଚାରିଲେ ମହାମୁନି,

‘‘କହ ଆଲୋ ମାଆ କେଉଁ କୁଳେ ତୁହି ଜାତ?’’

ଲହରୀ ପରାଏ ଚଞ୍ଚଳି ଉଠି ଖରେ

ଉତ୍ତର ଦେଲା, ‘‘ଶବର କୁଳେ ହେ ଜାତ ।’’

[୪]

‘‘ନବ ଉଦ୍ବେଗେ ତୁ ସିନା ଉଠିଚୁ ଜାଗି

ଆଶ୍ରମ ପଦେ ଶିଷ୍ୟା ହେବାର ଲାଗି,

ଆର୍ଯ୍ୟ ଜାତିର ଅଛି ଏକା ଅଧିକାର ।’’

ଆତୁର ବଚନେ ଜଣାଇଲା ପୁଣି ବାଳା

‘‘ଶବର ଜାତିର ନାହିଁ କି ସେ ଅଧିକାର?’’

[୫]

ହସ୍ତ ହଲାଇ ମସ୍ତକ ଦୋହଲାଇ

ଉତ୍ତରେ ମୁନି ଜଣାଇଲେ ‘ନାହିଁ’ ‘ନାହିଁ’ ।

ତଥାପି କୁମାରୀ ଜଣାଇଲା ଅନୁରାଗେ,

‘‘ଶବର ଜାତିର ନାହିଁ ଯେବେ ଅଧିକାର

ମରମେ ମୋହର ବାସନା କାହିଁକି ଜାଗେ ।’’

[୬]

ମରମ-ପରଶୀ ସେଇ ଦୁଇ ପଦ ଶୁଣି

ମରମ-ଗହନେ ଚିନ୍ତିଲେ ମହାମୁନି,

ଆଖିର ପଲକେ କି ଭାବେ ହୋଇଲେ ଭୋଳ;

ବୁକୁତଳେ ତାକୁ ଉଚ୍ଛ୍ୱାସେ ନେଲେ ତୋଳି,

‘‘ଆର୍ଯ୍ୟା ତୁହି ଲୋ ଶିଷ୍ୟା ତୁହି ଲୋ ମୋର ।’’

Image

 

ଶ୍ରମଣାର ଅତିଥିଚର୍ଚ୍ଚା

 

[୧]

ପମ୍ପା ସର ନିକଟବନ-

ଆଶ୍ରମରେ ଥିଲା

ଶୁକ୍ଳକେଶୀ ଶବରୀ ଏକ

ପୁଣ୍ୟପୁତଶୀଳା ।

ଆଶ୍ରମର ସେବିକା ସିଏ

ଶ୍ରମଣା ନାମ ତାର,

ନୀରବ ତପ-ଧିଆନେ ସଦା

କଟାଉଥିଲା କାଳ ।

[୨]

ଦିନେକ ତାର କୁଟୀର ଆଗେ

ଶ୍ରୀରାମ ଲକ୍ଷ୍ମଣ

ନିଜର ଘୋର ଦୁଃଖ ବେଳେ

ସୃଜିଲେ ଶୁଭକ୍ଷଣ ।

ଶବରୀ ମନେ ଲଭିଲା ତାର

ଅତୁଳ ଆହାଲାଦ,

ହର୍ଷଭରେ ଟିକିଏ ଥୟ

ହେଲା ନି ତାର ପାଦ ।

[୩]

‘‘ଆସିଲି ତୁମେ ଅତିଥି ଆଜି

ଅସ୍ତ ସମୟରେ ।’’

ଶବରୀ ତହୁଁ ବୋଇଲା ବାଣୀ

ପୁଲକଭରା ସ୍ୱରେ ।

‘‘ତୁମକୁ ଦେଖି ଜୀବନ ମୋରି

ସଫଳ ହେଲା ଆଜ,

କି ଦେଇ ଅବା ପୂଜିବି ପାଦ

କିଅଛି ପୂଜା ସାଜ ?’’

[୪]

ପଦ୍ମପାଦ ପଖାଳି ଦେଲା

ଝରଣା ବାରି ଢାଳି,

ତରୁର ନବ ପତର ଦେଇ

ଆସନ ଦେଲା ପାରି ।

ହ୍ରଦର ଚାରୁ ପଦ୍ମ ଫୁଲେ

ବନର ଫୁଲ ଦେଇ

ବାଢ଼ିଲା ପ୍ରୀତି-ଅର୍ଘ୍ୟ ତାର

ହୃଦୟ ପୁର ଫେଇ ।

[୫]

ଯତନେ ଯାହା ସାଇତି ଥିଲା

ବନରୁ ତୋଳି ତୋଳି

ଅତିଥି ଆଗେ ଥୋଇଲା ଆଣି

ବହୁତ ଜାତି କୋଳି ।

ଆଗରୁ ଚାଖି ଠିକେଇ ଥିଲା

ମଧୁର ରସଭର

ଅତିଥି ଆଗେ ବାଢ଼ିଲା ତହିଁ

ବହୁତ ଚୂତ ଫଳ ।

[୬]

ଉସତ ହୋଇ ଭୁଞ୍ଜିଲେ ତା

ଶ୍ରୀରାମ ବନଚାରୀ

ମୁଗ୍ଧ ହୋଇ ମନର ଭାବ

ଅଚିରେ ଦେଲେ ଢାଳି ।

‘‘ଶବରୀ ତୁମେ ଅମରୀ ଆଜି,

ତପସ୍ୱିନୀ ତୁମେ

ତୁମରି ଲାଗି ଧନ୍ୟ ଆମେ

ମରମର୍ତ୍ତ୍ୟ ଭୂମେ ।’’

Image

 

ଗୁହକ

 

ଏକ

‘‘ଅଦୂରେ ଗଙ୍ଗାର ଜଳେ

ହେଇ ଅସ୍ତ-ରଶ୍ମି ଝଳେ,

ହେ ସୁମନ୍ତ୍ର, ରଖ ଏକେ ରଥ,

ଧାଇଁ ଧାଇଁ ଅଶ୍ୱରାଜି

କ୍ଳାନ୍ତ ହୋଇଲେଣି ଆଜି,

ଏତିକିରେ ଥାଉ ଆଜି ପଥ ।’’

ଶୃଙ୍ଗବେର ପୁର ଧାରେ

ଇଙ୍ଗୁଦୀ ତରୁର ମୂଳେ

ଦେଖୁ ଦେଖୁ ରହିଲା ସ୍ୟନ୍ଦନ,

ରାମ-କରେ କର ଦେଇ

ଓହ୍ଲାଇଲେ ବଇଦେହୀ,

ଓହ୍ଲାଇଲେ ସୁମିତ୍ରା-ନନ୍ଦନ ।

ଶବର ପଲ୍ଲୀର ଜନ

ଯୁବା ଯଉବନୀଗଣ,

ଖେଳା-ଲୋକ ବାଳକ ବାଳିକା

ପ୍ରାଣର ଆବେଗ ବହି

ଠୁଳ ହୋଇଗଲେ ତହିଁ,

ମୁଖେ ମୁଖେ ଆନନ୍ଦର ଶିଖା ।

ପ୍ରୀତିର ପ୍ରଣତି ଦେଇ

ସରଳ ହୃଦୟ ଫେଇ

ଜଣାଇଲା ଗୁହକ ଶବର,

‘‘ସଉଭାଗ୍ୟ ମୋର ଆଜି

ଅଯୋଧ୍ୟାର ଯୁବରାଜ

ପାଇଲି ଯେ ଦର୍ଶନ ତୁମର ।’’

ସୂର୍ଯ୍ୟାଲୋକ ରାଜଗୃହେ

ଯାରେ ଦେଖିବାର ନୁହେଁ,

ସେଇ ଦେବୀ ବନପଥେ ଆଜି,

କି କହିବି ରଘୁବର

ଚିନ୍ତା ମୋର ହୃଦୟର ?

ସ୍ତବ୍ଧ ମୋର ଚିତ୍ତବୃତ୍ତରାଜି ।’’

‘‘ଜନମନ-ଅଭିରାମ

ଧନ୍ୟ ତୁମେ ଧନ୍ୟ ରାମ’’

ସୁମନ୍ତ୍ରର କଣ୍ଠୁ ଫୁଟେ ବାଣୀ,

‘‘ଦୁର୍ଲଭ ଏ ଜୀବନରେ

ହାୟ କି ପ୍ରମାଦ କଲେ !

ଜାଣି ଜାଣି କଇକେୟୀ ରାଣୀ ।’’

‘‘ଥାଉ ହେ ସୁମନ୍ତ୍ର ଥାଉ

କାହିଁକି କହୁଚ ଆଉ ?

ନିୟତିର ଯାହା ଇଚ୍ଛା ହେଲା,

କିଏ ସେ ନିନ୍ଦାର ପାତ୍ର ?

ମଣିଷ ନିମିତ୍ତ ମାତ୍ର

ସବୁ ଜାଣ ନିୟତିର ଖେଳା ।’’

ନିଷାଦ କହଇ, ‘‘ପ୍ରଭୁ

ଜାଣିଚି ଶୁଣିଚି ସବୁ

ଏଇପରି କେତେ ଅଛି ଶୁଣି,

ଦଗ୍ଧ ଏଇ ନୟନରେ

ଏଇ ବନ ଅୟନରେ

ସଉଭାଗ୍ୟ ଦେଖୁଅଛି ପୁଣି ।’’

ଉଚ୍ଚ ରବେ ଶଙ୍ଖଧ୍ୱନି

ସହସା ଉଠିଲା ରଣି,

ଉଛଳିଲା ଶୁଭ ହୁଳହୁଳି,

ଆନନ୍ଦର ମଉଛବ

ଅଭିନବ ଗଉରବ

ବନପଥେ ଉଠିଲାକି ପୂରି ?

ରାମ ପଚାରିଲେ, ‘‘କିଏ ?’’

ଗୁହକ ଉତ୍ତର ଦିଏ

‘‘ହେ ଦୁର୍ଲ୍ଲଭ ଅତିଥିପ୍ରବର,

ଫଳମଳାହାର ନେଇ

ତବ ଦରଶନେ ଏଇ

ଆସୁଅଛି ଗୃହିଣୀ ମୋହର ।

ବାହୁକ ଏ ମୋର ଭାଇ,

ଶ୍ରାନ୍ତ ତବ ଅଶ୍ୱପାଇଁ

ମନ-ଲାଖି ଅଣାଇଛି ଘାସ,

ପଳାଇ ଆସିଲି ମୁହିଁ

ମାତ୍ର ଆସିଥିଲି କହି

‘ଉପାୟନ ଘେନି ବେଗେ ଆସ ।’

ରାଘବ-ବଦନେ ଚାହିଁ

ଲକ୍ଷ୍ମଣ ବୋଇଲେ, ‘‘ଭାଇ,

ଦେଖୁଛି ମୁଁ ଜୀବନ ଆଲୋକ,

ଅରଣ୍ୟ ମଣ୍ଡଳେ ବଢ଼ି

ନର ବୁଝେ କେଉଁପରି

ପଶୁପକ୍ଷୀ ଜୀବନର ଭୋକ !’’

ଶବର ଯୋଡ଼ିଲା ପାଣି,

‘‘ଶୁଣାଉଛ ଏ କି ବାଣୀ ?

ତୁମେ ମୋର ଅତିଥି ଦୁର୍ଲ୍ଲଭ,

ତୁମରେ ପାରିଲେ ସେବି

ଭାଗ୍ୟବନ୍ତ ମୁହିଁ ହେବି,

ସେଇ ମୋର ମହାଗଉରବ ।’’

 

ଦୁଇ

 

ପ୍ରଭାତ ରବିର କର

ଢଳ ଢଳ ଉର୍ଜ୍ଜ୍ୱସ୍ୱଳ

ଉକୁଟିଲା ବନସ୍ପତି-ପରେ,

ବନର ବିହଙ୍ଗ ରାଜି

ନୂଆ କରି କଣ୍ଠ ମାଜି,

ଝଙ୍କାରିଲେ କଳ କୋଳାହଳେ ।

ରାମ ସୀତା ସଉମିତ୍ରୀ

ସ୍ନିଗ୍ଧ କେଶପାଶବୀଥି

ବଟ-କ୍ଷୀରେ ବିରଚିଲେ ଜଟା

ସୁମନ୍ତ୍ର ଉଚ୍ଛ୍ୱାସ ଘେନି

ରୋଧି ଆଉ ପାରିଲେ ନି

ହୃଦୟର ଅଶ୍ରୁ ଆକୁଳତା ।

ରାମ ତାହା ଲକ୍ଷ୍ୟ କରି

କହିଲେ ଉଦ୍ଦେଗ ଭରି,

‘‘କି ହେଉଛ ବାଳକ ପରାଏ ?

ସ୍ମେର ମୁଖେ ହେ ସୁମନ୍ତ୍ର,

ପାଳିବି ମୁଁ ପିତୃସତ୍ୟ,

ତୁମ ପାଶୁ ଆଶିଷ ମୁଁ ଚାହେଁ ।’’

ଶବର ପରଜା ଘେନି

ପୁଣି ରାଜା ରାଣୀ ବେନି

ମିଳିଗଲେ ଶ୍ରୀରାମ ଚରଣେ,

‘‘ରାମ ସୀତା ସଉମିତ୍ରୀ

ଉଠ ଉଠ ହେ ଅତିଥି,

ଚାଲ ଏବେ ଆମର ଭବନେ ।

ଅଯୋଧ୍ୟାରେ ତୁମ ପାଇଁ

ଆଜି ସିନା ଠାବ ନାହିଁ,

ମୁକ୍ତ ଆଜି ଆମ ଏ ମୁଲକ,

ଆମ ରାଜା ହୋଇ ତୁମେ

ରୁହ ଏ ଶବର-ଭୂମେ ।

ଆମେ ଅଛୁ ତୁମରି ସେବକ ।’’

ଶବର ପ୍ରାଣର ବାଣୀ

ଶୁଣୁଥିଲେ ବନ-ପ୍ରାଣୀ

ଶୁଣୁଥିଲେ ତରୁ-ଲତା-ପତ୍ର;

ସ୍ଥିର ସ୍ତବ୍ଧ ହୋଇ ତହିଁ

ମୁହୂର୍ତ୍ତେକ ଗଲେ ରହି

ରାମ, ସୀତା, ଲକ୍ଷ୍ମଣ, ସୁମନ୍ତ୍ର ।

ଶ୍ରୀରାମ ବୋଇଲେ ବାଣୀ

ଯୋଡ଼ି ଶ୍ରଦ୍ଧାଯୁକ୍ତ ପାଣି

ଧନ୍ୟ ତୁମେ ହେ ଶବର ଭାଇ,

‘‘ପାଳିବାକୁ ପିତୃସତ୍ୟ

କରିଦିଅ ମୋର ପଥ,

ଅକ୍ଷମ ମୁଁ ତୁମ ଦାନ ପାଇଁ ।’’

Image

 

ଏକଲବ୍ୟ

 

ହସ୍ତିନାର କୁମାରଗଣ ଦିନେ

ମୃଗୟା-ମଦେ ମତ୍ତ,

ଅସ୍ତ୍ର ହାତେ ଦେଖାଉଥିଲେ ବନେ

ବିଦ୍ୟା ଗୁରୁ-ଦତ୍ତ ।

ସାଥିରେ ରହି ଲକ୍ଷ୍ୟ କରୁଥିଲେ

ଗୁରୁ ଦ୍ରୋଣାଚାର୍ଯ୍ୟ

କାହାର କିବା ପ୍ରୟୋଗ କଉଶଳ,

ଶକ୍ତି ଅନିବାର୍ଯ୍ୟ ।

ସହସା ଏକ ପଳାୟମାନ ପଶୁ

ଝଲସି ଗଲା ଚକ୍ଷେ;

ନିମେଷକରେ କାହାର ଶରାଘାତେ

ଲୋଟିଲା ଧରାବକ୍ଷେ ।

କୁମାରଗଣ କ୍ଷିପ୍ର ପଦ ଚାଳି

ଛୁଟିଲେ ସେଇ ଲକ୍ଷ୍ୟେ,

ଦେଖିଲେ ଏକ ବରାହ ସେଇ ପଥେ

ପଡ଼ିଚି ଧରାବକ୍ଷେ ।

‘‘ମୁଁ ମାରିଚି’’, ଦୁର୍ଯ୍ୟୋଧନ କହେ,

‘‘ଲକ୍ଷ୍ୟ ମୋର ସାର୍ଥ ।’’

‘‘ମୁଁ ମାରିଚି, ମୋହରି ବାଣେ ହତ ।’’

ଗରଜି ଉଠେ ପାର୍ଥ ।

ଶାୟକ ଟାଣି ଦେଖିଲେ ଭଲ କରି

କାହାର ନାମ କୀର୍ଣ୍ଣ,

ଦୁର୍ଯ୍ୟୋଧନ, ପାର୍ଥ କାର ନୁହେ

ନାମ ତ ତହିଁ ଭିନ୍ନ ।

ସକଳ ମୁଖ ଦିଶିଲା ବିମଳିନ

ଦିଶିଲା ବେଦନାର୍ତ୍ତ,

‘‘କିଏ ସେ ତେବେ ଧନୁର୍ଦ୍ଧର କିଏ?’’

ଜିଜ୍ଞାସିଲେ ପାର୍ଥ ।

ଅଞ୍ଜନାଭ କିଏ ସେ ଯୁବା ଏକ

ଧନୁଟି ଧରି ସ୍କନ୍ଧେ,

ସେତିକିବେଳେ ସେଇଠି ଉପଗତ

ହୋଇଲା ମହାନନ୍ଦେ ।

‘‘ମୁଁ ମାରିଚି ବରାହ ଏବେ ଏଇ,

ଅମୋଘ ମୋର ଲକ୍ଷ୍ୟ,

ଶରବ୍ୟର ଜୀବନ ନେବା ପାଇଁ

ମୋ ଶର ଆଜି ଦକ୍ଷ ।’’

‘‘କିଏ ରେ ତୁହି’’ ଦୁର୍ଯ୍ୟୋଧନ କହେ

‘‘ଦେଖାଉ ଏତେ ଗର୍ବ !

ଭାବୁଚୁ ମନେ, ଜଗତ ସାରା ଆଜି

କରିଚୁ ସତେ ଖର୍ବ ।’’

‘‘ସତ୍ୟ ଯାହା କହିଲି ମୁଁ ତ ଏବେ

କି ଅବା ମୋର ଗର୍ବ ?

ଅରଣ୍ୟର ମୁକ୍ତଚାରୀ ମୁହିଁ

ଶବର ଏକଲବ୍ୟ ।

ସମୟ ଦେଖି ଧନୁରୁ ମୋର ଶର

କରିଚି ମୁହିଁ ମୁକ୍ତ,

ସାଧନା ମୋର ସଫଳ କରିଅଛି,

କାମନା ଜୟଯୁକ୍ତ ।’’

‘‘ଅନାର୍ଯ୍ୟରେ କିଏ ସେ ତୋର ଗୁରୁ,

ଧନୁର୍ବେଦାଚାର୍ଯ୍ୟ ?

କାହାର ମହା-ଆଶିଷେ ଲଭିଅଛୁ

ଶକ୍ତି ଅନିର୍ବାର୍ଯ୍ୟ ?

ଏକଲବ୍ୟ ବିନୟ-ଭରା ଭାଷେ

କହଇ ତହୁଁ ବ୍ୟଗ୍ରେ,

‘‘ପୁଜ୍ୟପାଦ, ମୋହର ଗୁରୁଦେବ

ଏଇତ ଉଭା ଅଗ୍ରେ ।’’

ରୁଷ୍ଟ ଗିରେ ବୋଇଲେ ଦ୍ରୋଣଗୁରୁ,

‘‘କାହିଁକି କହୁ ମିଥ୍ୟା?

କେବେ ମୁଁ ତୋତେ ଶିକ୍ଷା ଦେଲି ଆରେ

ଉଦ୍ଭଟ ତୋ ଚିନ୍ତା ।’’

ପ୍ରଣମି ଗୁରୁ-ଚରଣ-ତଳଦେଶେ

କହଇ ଏକଲବ୍ୟ,

‘‘ମିଥ୍ୟା ମୁଁ ତ କହି ନି ଗୁରୁଦେବ,

କହି ନି ମହାଭବ୍ୟ ।

ହସ୍ତିନାକୁ ଦିନେ ମୁଁ ଯାଇଥିଲି

ଶବର ଏକଲବ୍ୟ,

ଧନୁର୍ବେଦ ଶିକ୍ଷା ଲାଭ ଆଶେ

ଜଣାଇଥିଲି ସର୍ବ ।

ଆଚାର୍ଯ୍ୟ ହେ ମୋ ପରିଚୟ ଶୁଣି

ଫେରାଇ ଦେଲ ତୂର୍ଣ୍ଣ,

‘କୁମାର ମେଳେ ତୋହର ନାହିଁ ଠାବ

ନାହିଁ ରେ ତୋର ପୁଣ୍ୟ ?’

ଚରଣତଳୁ ବିଦାୟ ନେଲି ଦେବ,

ହୋଇଲି ନାହିଁ କ୍ଷୁଣ୍ଣ,

ଫେରିଲି ଗୃହେ, ସିଦ୍ଧି ପାଇଁ ମୋର

ଅର୍ଜିବି ମୁଁ ପୁଣ୍ୟ ।

ମାଟିର ତବ ମୂର୍ତ୍ତି ଗଢ଼ି ତହୁଁ

ଥାପିଲି ମହାରଣ୍ୟେ,

ଆକୁଳ ପ୍ରାଣେ ଡାକିଲି, ‘ଗୁରୁଦେବ

କରୁଣା କର ବନ୍ୟେ ।’

ଧନୁର୍ବେଦ ସାଧିଲି ଦିବାରାତି,

କରୁଣା ତବ ମୁକ୍ତ,

ଧନୁର୍ବେଦ ଶିକ୍ଷା ମୋର ଏବେ

ହୋଇଚି ଜୟଯୁକ୍ତ ।’’

କୁମାରଗଣ ତଥ୍ୟ କଥା ଜାଣି

ବେଦନା-ଭରା ବକ୍ଷେ,

ଚକିତ ହୋଇ ଚାହିଁଲେ ଏକ ଆନେ

ଦୀପ୍ତି-ହରା ଚକ୍ଷେ ।

‘‘ଦେବ ହେ କିବା ବାକ୍ୟ ଦେଇଥିଲ ?’’

ଆକୁଳେ କହେ ପାର୍ଥ,

କରୁଣା ତବ ପାଇବା ପାଇଁ ଏବେ

କିଏ ସେ ଚରିତାର୍ଥ ।’’

ମଉନ ତେଜି ଅଚିରେ ଦ୍ରୋଣଗୁରୁ

ବୋଇଲେ, ‘‘ଏକଲବ୍ୟ

ଗୋପନେ ତୋର ସାଧନା ପୂଜା କରି

ଲଭିଲୁ ତୁହି ସର୍ବ ।

ଗୁରୁ ମୁଁ ତୋର, ଶିଷ୍ୟ ତୁହି ମୋର

ଦକ୍ଷିଣା ମୋ ଧାର୍ଯ୍ୟ,

ତ୍ୱରିତ ଦିଅ, ତ୍ୱରିତ ଦିଅ ଏବେ ।’’

ଚାହିଲେ ଦ୍ରୋଣାଚାର୍ଯ୍ୟ ।

‘‘କି ଦକ୍ଷିଣା ଦେବି ହେ ଗୁରୁଦେବ,

କି ଦେବି ମୁହିଁ ବନ୍ୟ ?

ମୁକ୍ତ ମନେ ନିବେଦି ତବ ପଦେ

ଧରାରେ ହେବି ଧନ୍ୟ ।’’

‘‘ତୁମର ବାମ ଅଙ୍ଗୁଷ୍ଠ ଦିଅ,

ତାହାହିଁ ମୋର କାମ୍ୟ ।’’

ବଜ୍ରସମ ନିଠରତମ ବାଣୀ

ବୋଇଲେ ମହାମାନ୍ୟ ।

ଫଳକେ ବୀର ଅଙ୍ଗୁଷ୍ଠ ଛେଦି

ନୀରବେ ନିସ୍ପନ୍ଦେ

ହାସ୍ୟମୁଖେ ଶ୍ରୀଗୁରୁ-ପଦତଳେ

ଥୋଇଲା ମହାନନ୍ଦେ ।

ପଲକେ ପୁଣି ତୋଳିଲା ପ୍ରାଣବାଣୀ,

‘‘ମୋହର ଆଜି ଭାଗ୍ୟ,

ଜୀବନେ ଗୁରୁ-ଚରଣ ପୂଜା କରି,

ହୋଇଲି ଆଜି ଶ୍ଳାଘ୍ୟ ।’’

Image

 

ଆନନ୍ଦ ଓ ପ୍ରକୃତି

 

[୧]

ବଇଶାଖ ମାସ ଦିନ ଦି’ପହର

ଖରା କାଟେ ଚାଇଁ ଚାଇଁ,

କଣ୍ଠ ଚାହୁଁଅଛି ଶୀତଳ ସଲିଳ

ମଥା ଚାହୁଁଅଛି ଛାଇ ।

ବଉଦ୍ଧ ଶ୍ରମଣ ଆନନ୍ଦ ଆକୁଳେ

ଚାଲିଛନ୍ତି ପଥ ଧରି

ଗଭୀର ପିପାସା ମେଣ୍ଟାଇବା ପାଇଁ

ଜଳ ପାନ ଆଶା କରି ।

[୨]

ଅଦୂରେ ଦେଖିଲେ ତରୁ ପାରୁଶରେ

ପଲ୍ଲୀ ଗାଁଆ ସୀମା ଶେଷେ

କୂପରୁ ପ୍ରକୃତି କଳସୀରେ ଜଳ

ତୋଳୁଚି ବିଜନ ଦେଶେ ।

ଆଶାଭରା ମନେ ଦ୍ରୂତ ପଦେ ଯାଇ

ନିକଟରେ ହୋଇ ଉଭା

ଭାରି ଶୋଷ ମତେ ‘‘ପାଣି ମୁନ୍ଦେ ଦିଅ ।’’

ମାଗିଲେ ଶ୍ରମଣ ଯୁବା ।

[୩]

ବିନୟ ବଚନେ ପଲ୍ଲୀର କୁମାରୀ

ବୋଲଇ ସରମଭରେ,

‘‘ଜାଣ କି ସନ୍ନ୍ୟାସି, ଜନମ ମୋହର

ଅଧମ ଅଛବ ଘରେ ।

ଉଚ୍ଚ ଜାତି ଯିଏ ଆମରି ହାତରୁ

ଜଳ ତ ଖାଆନ୍ତି ନାହିଁ,

ସନ୍ନ୍ୟାସି ହେ ତୁମେ କେଉଁମିତି ଭଲା

ଚାହୁଚ ଖାଇବା ପାଇଁ ?’’

[୪]

‘‘ପରମ ଈଶ୍ୱର ଭରି ରହିଛନ୍ତି,

ଚରାଚରେ ଏ ସଂସାରେ,

ମୋଅଠି ଅଛନ୍ତି, ସବୁଠି ଅଛନ୍ତି,

ନାହାନ୍ତିକି ତୁମଠାରେ ?

ଭାବି ପାରୁନାହିଁ ଅଛବ ତୁମେ ଯେ

ହୋଇଅଛି କେଉଁମିତି ?

ଈଶ୍ୱର ରାଇଜେ ସ୍ୱାର୍ଥପର ଏଇ

ମଣିଷର ଭେଦ ନୀତି ।’’

‘‘କିଏ ତୁମେ ଦେବ ଶୁଣାଉଛ ଆଜି

ଗଭୀର ପ୍ରାଣର କଥା ?

ମଣିଷର ଏଇ ଭେଦଭାବ ସତ

ମନରେ ଆଣୁଛି ବ୍ୟଥା ।’’

‘‘ମନରେ ସତରେ ‘‘ଆଣୁଅଛି ବ୍ୟଥା’’

ଶ୍ରମଣ ବୋଇଲେ ବାଣୀ,

‘‘ଉଛୁର କାହିଁକି କରୁଅଛ ଆଉ?

ଦିଅ ଦିଅ ମୁନ୍ଦେ ପାଣି ।’’

କଳସୀରୁ ତହୁଁ ଜଳ ଢାଳି ଦେଲା

ସରଳ ମାତଙ୍ଗ-ବାଳା,

ଆଞ୍ଜୁଳା ପତାଇ ଶ୍ରମଣ ଯୁବକ

ପିଇଲେ ପାନୀୟ ଧାରା ।

ଛାଇରେ ଟିକିଏ ଛିଡ଼ା ହୋଇ ତହୁଁ,

ଚାଲିଗଲେ ପଥ ବାହି,

କୁମ୍ଭ ଘେନି ତହିଁ ସ୍ମିତ ନୟନରେ

ପ୍ରକୃତି ରହିଲା ଚାହିଁ ।

Image

 

ଶମ୍ବୁକ

 

ରାମ

ଝଙ୍କା ତରୁମୂଳେ କିଏ ନିଶ୍ଚଳ ମୂରତି

ଚଉପାଶେ ଦୀପ୍ତ ପଞ୍ଚାନଳ, କରୁଛନ୍ତି

ତପ ଆଚରଣ ? ବୋଧ ହୁଏ ଶମ୍ବୁକ ଏ

ଅନୁମାନ ସତ୍ୟ ବୋଲି ଲାଗୁଚି ହୃଦୟେ,

ତଥାପି ରହିବ କିଆଁ ସଂଶୟର ଲବ

ବୁଝିନିଏ, ହେ ତପସ୍ୱୀ ପରିଚୟ ତବ ?

ଶମ୍ବୁକ

ଶମ୍ବୁକ ମୁଁ, ଶୂଦ୍ର କୁଳେ ଜନମ ମୋହର

ଶାମୁକାର ସ୍ୱପ ଘେନି ନିତ୍ୟ ନିରନ୍ତର

କୁଚ୍ଛ୍ର ସାଧାନାର ବ୍ରତ ବରି ନେଇ ପ୍ରାଣେ

ଏକାନ୍ତେ ନିର୍ଜନେ ଏଥି ଏଇ ଜନସ୍ଥାନେ

ତପସ୍ୟା କରୁଚି, କିଏ ତୁମେ ହେ ଦେବତା

ରାଜବେଶେ ଦେଖା ଦେଇ କହୁଅଛ କଥା

ମୋର ସଙ୍ଗେ ?

 

ରାମ

ଅଯୋଧ୍ୟାର ମୁହିଁ ନରରାଜ ।

ଶମ୍ବୁକ

ପୁଣ୍ୟଶ୍ଳୋକ ରାମଚନ୍ଦ୍ର ! କାହିଁପାଇଁ ଆଜ

ଆସିଲ ନିର୍ଜନ ବନେ ଦୁର୍ଗମ ଏ ପଥେ ?

ରାଜରାଣୀ ସୀତାପାଇଁ ଆସିଲ କି ସତେ ।

ରାମ

ପ୍ରଜା ପାଇଁ ନିର୍ବାସିତ କରିଅଛି ଯାରେ

ଆସି ନାହିଁ ତାର ଲାଗି ଏ ବନ କାନ୍ତାରେ;

ତୁମ ପାଇଁ ଆସିଅଛି ଆଜି ।

ଶମ୍ବୁକ

ମୋହପାଇଁ ?

ପରମ ଆହ୍ଲାଦ ମୋର ଆହେ ନରସାଇଁ ।

 

ରାମ

ପରମ ଆହ୍ଲାଦ ନୁହେ, ନିଭୃତ ହୃଦରେ

ଜାଣିପାରୁ ନାହିଁ ତୁମେ, ତୁମ ବିରୁଦ୍ଧରେ

ଅଭିଯୋଗ, ଅଭିଯୋଗ ହୋଇଅଛି ଘୋର ।

ଶମ୍ବୁକ

ଆହେ ରାଜା ଅପରାଧ କିବା ତେବେ ମୋର ?

ରାମ

ଶୂଦ୍ର ତୁମେ, ତପସ୍ୟାରେ ନାହିଁ ଅଧିକାର ତୁମର ।

ଶମ୍ବୁକ

ସତେକି ଆଜି ଭୁଲିଗଲ ତୁମେ !

ସ୍ମୃତିର ଆଭାସ ଆଉ ନାହିଁ ଚିତ୍ତଭୂମେ

ସେଦିନର, ଗୃହକର, ଶ୍ରମଣାର କଥା

ମଣିଷର ଅଧିକାର, ପ୍ରାଣର ମମତା

ବୁଝିଲନି । ଆଚମ୍ବିତ ଲାଗୁଅଛି ମତେ

ବନପଥେ କିବା ଥିଲ ଆଜି ଜନପଥେ

କି ହୋଇଛ ?

ରାମ

ଭୁଲିନାହିଁ, ଭୁଲିନାହିଁ ମୁଁ ତ,

ଚିତ୍ତେ ମୋର ସ୍ମୃତି-ସ୍ନେହ ଅଛି ଅବିକୃତ ।

ତୁମ ତପସ୍ୟାରେ କିନ୍ତୁ ଘୋର ଅମଙ୍ଗଳ

ଜାଗି ଅଛି ଧରଣୀରେ । ଏକ ବ୍ରାହ୍ମଣର

ଏକମାତ୍ର କୁମର ସେ ହରାଇଛି ପ୍ରାଣ ଅକାଳେ ।

ଶମ୍ବୁକ

ଜାଣ ନା ରାଜା ମୃତ୍ୟୁ ବଳୀୟାନ ?

ବୁଝେ ନାହିଁ ବଡ଼ ସାନ ସେନେହ ମମତା

ଆଚମ୍ବିତେ ଆସି ପୁଣି ଉତ୍ସବର ଘଟା

ଭାଙ୍ଗିଦିଏ ମୁହୂର୍ତ୍ତକେ । ଇଏ କି ଅଦ୍ଭୁତ

ଶୂଦ୍ର ତପ କଲେ ମରେ ବ୍ରାହ୍ମଣର ସୁତ ।

ରାମ

ମରିଛି ସେ, ମରି ନାହିଁ ଚିରକାଳ ପାଇଁ

ତୁମକୁ କରିଲେ ହତ୍ୟା ପୁଣି ପ୍ରାଣ ପାଇ

ଜାଗିବ ସେ ।

 

ଶମ୍ବୁକ

ସତେ ସତେ ଅବନୀପାଳକ

ମୋତେ ହତ୍ୟା କଲେ ପୁଣି ବଞ୍ଚିବ ବାଳକ ।

ରାମ

ସତ୍ୟ ବୋଲି ଜାଣିଛି ମୁଁ, ଶୋକାର୍ତ୍ତ ବ୍ରାହ୍ମଣ

ମୋତେ ତାହା କହିଛନ୍ତି ତଥ୍ୟ ସେ ବଚନ ।

ଶମ୍ବୁକ

ଲୋକ ଅପବାଦ ଶୁଣି ଯେଉଁ ନରପତି

ସତ୍ତ୍ୱବତୀ ବନିତାରେ ବନେ କରିଛନ୍ତି

ନିର୍ବାସନ, ସେଇ ରାଜା ସେଇ ରାମ ତୁମେ

ବିପ୍ରବାକ୍ୟ ଶୁଣି ଆଜି ଏଇ ବନଭୂମେ

ମୋତେ ହତ୍ୟା କରିବାକୁ ଆସିଅଛ ଧାଇଁ;

ସେଥିପାଇଁ ଦୁଃଖ ନାହିଁ, କ୍ଷୋଭ ମୋର ନାହିଁ ।

ମୋହରି ମୃତ୍ୟୁରେ ସେଇ ବ୍ରାହ୍ମଣ-ସନ୍ତାନ

ମର ମର୍ତ୍ତ୍ୟ ଲୋକେ ଫେରି ପାଇବ ତା ପ୍ରାଣ

କିହେବ ତପସ୍ୟା ଆଉ ? ସାଧନା ମୋହର

ତହିଁରେ ପାଇବି ମୁହିଁ ତପସ୍ୟାର ଫଳ ।

ରାମ

ବିପ୍ର ଯେ ଲଭିବେ ପୁତ୍ର, ତୁମେ ଦେବ ପ୍ରାଣ

ମୁଁ ଭାବୁଚି କି ବିଷମ ମୋର ଅଭିଯାନ !

ଶମ୍ବୁକ

ରାଜା ତୁମେ ରାଜଧର୍ମ ପାଳ ଏ ଜଗତେ

ଡେରି କିଆଁ ? ହତ୍ୟା କର, ହତ୍ୟା କର ମତେ ।

Image

 

ଭୀମ ଭୋଇ

 

ଶିଷ୍ୟବର୍ଗ ସଙ୍ଗେ ଘେନି ଯାଉଁ ଯାଉଁ ସାଧୁ ମହିମା ଗୋସାଇଁ

ଉପପଥ କୂପଗର୍ଭୁଁ ଉତ୍ତୋଳିଲେ ଦିନେ ଏକ ଅନ୍ଧ ଜନେ,

ସନ୍ତୋଷ ତେଣିକି ଥାଉ କହି ଉଠେ ଅନ୍ଧ ସରୋଷ ବଚନେ,

‘‘କିଏ ତୁମେ ଅବିବେକ ଉଦ୍ଧରିଲ ମତେ କହ କାହିଁପାଇଁ?

ଅନ୍ଧ ମୁହିଁ ଦିବା ନିଶି ଝୁରି ମରୁଥିଲି ଦୁଃଖ କ୍ଳେଶ ପାଇ

ମରି ତରି ଯାଇ ଥାନ୍ତି ଜୀବନ ଜଞ୍ଜାଳୁ ! କହିଲେ କି ହେବ ?

ଜୀବନ ରଖିଲ ଏ ଯେ ଚକ୍ଷୁ କିବା ମତେ ଦେବ ତୁମେ ଦେବ ?’’

‘‘ଆଚ୍ଛା ବାବା, ଚକ୍ଷୁ ତୁମେ ପାଇବ ଅଚିରେ ।’’ କହିଲେ ଗୋସାଇଁ

ଚାଲିଲେ ବାବାଜି ସାଥେ ଅନ୍ଧ ଭୀମ ଭୋଇ ଲଙ୍ଘି ପଲ୍ଲୀପୁର

ଅକୂଳ ଅସୀମ ପଥେ ଅଲେଖ ଭଜନ କରି ଦିବାରାତେ,

ପ୍ରବ୍ରଜ୍ୟାର ଦୀକ୍ଷା ଧରି ଯାପିଲେ ଜୀବନ । ଦିନକର ପ୍ରାତେ

ଗୁରୁରେ କହିଲେ ଅନ୍ଧ, ‘‘ଦିଶିଲା ଦିଶିଲା ଅନ୍ଧତା ମୋ ଦୂର

ଅନ୍ତରେ ଦେଖଇ ମୁହିଁ ସୃଷ୍ଟିର ସୌଷ୍ଠବ ବିରାଟ ବିପୁଳ

ବିଶ୍ୱର ଯେତେ ଯା ଦୃଶ୍ୟ । ଏତେ ଦିନେ ଚକ୍ଷୁ ଦେଲ ମହାମତି ।’’

‘‘ଚକ୍ଷୁ ଦେଇ ନାହିଁ ମୁଁ ତ’’ କହିଲେ ଗୋସାଇଁ ‘‘ନାହିଁ ସେ ଶକତି,

ଚକ୍ଷୁ ପାଇଅଛ ତୁମେ ଅଲେଖ ପ୍ରଭୁର ଆଲୋକ ଅତୁଳ ।’’

Image

 

ରଇଦାସ

 

ସ୍ନାନ ସାରି ଭକ୍ତ ରାମାନନ୍ଦ

ସ୍ମିତ ମୁଖ, ପ୍ରସନ୍ନ ନୟନ,

ଯାଉଥିଲେ ମନ୍ଦିର ପଥରେ

ମନ୍ତ୍ର ସ୍ତୁତି କରି ଉଚ୍ଚାରଣ ।

ପଥପ୍ରାନ୍ତେ କିଏ ଆସି ତହିଁ

ସମାର୍ଜନୀ ଭୂଇଁତଳେ ଥୋଇ

ହୃଦୟର ପ୍ରଣତି ଢାଳିଲା

ବିନୟରେ ଅବନତ ହୋଇ ।

ରାମାନନ୍ଦ ନ କହୁଣୁ କିଛି

କାର କଣ୍ଠ ଉଠିଲା ଝିଙ୍କାସି

ଅତି ରୂଢ଼ । ‘‘ଏତିକି ବେଳକୁ

ଥିଲା ତୋର ଏଇ ଭକ୍ତିରାଶି !

ଜନ୍ମ ତୋର କେଉଁ କୁଳେ ଆରେ

ସେ କଥା କି ଜଣା ନାହିଁ ତତେ ?

ଏତେବେଳେ ଉଚିତ କି ତୋର

ଦେଖା ଦେବା ସାଧୁଙ୍କର ପଥେ ?’’

‘‘କିଏ ତୁମେ, କିଏ ତୁମେ ବାବା’’

କଣ୍ଠେ ଭରି ପ୍ରୀତିର ଉଲ୍ଲାସ

ପଚାରିଲେ ଭକ୍ତ ରାମାନନ୍ଦ

ନେତ୍ରୁ ଢାଳି ଅମିୟ ଉଚ୍ଛ୍ୱାସ ।

‘‘ରଇଦାସ, ଜାତିରେ ମୁଁ ମୋଚି

ଏ ପଥର ଶୁଷ୍କ ବ୍ୟର୍ଥ ଧୂଳି,

ଏଇପରି କେତେ ପଦାଘାତେ

ପ୍ରତିଦିନ ହେଉଚି ଆକୁଳି ।

ତୁମେ ସ୍ୱାମୀ କରୁଣାର ଘନ

ଢାଳି ଦେଲେ ଧାରଟିଏ ବାରି

ରିକ୍ତ ପ୍ରାଣ ସିକ୍ତ ହେବ ମୋର

ତୋଳିବି ମୁଁ ରାଗ ମତୁଆରୀ ।

ନିଷ୍ଫଳ ଏ ଜୀବନେ ମୋହର

ବିକସିବ ନୂତନ ଉଚ୍ଛ୍ୱାସ

ଅଙ୍କୁରିବ ତୃଣର ସମ୍ଭାର

ମୁଞ୍ଜରିବ ପୁଷ୍ପର ବିକାସ ।’’

ବକ୍ଷେ ତାକୁ ତୋଳି ନେଇ ଭକ୍ତ

ପୁଲକିରେ ଉଦ୍ଦେଳିତ ମୁଦେ,

‘‘ଅନନ୍ତର ସମ୍ଭାବନା ନିଶ୍ଚେ

ଅଛି ବାବା ଅଛି ତୋର ହୃଦେ ।’’

Image

 

ରକ୍ତ ଓ ଦୁଗ୍ଧ

 

‘‘ଉପାୟ ନାହିଁ ତ ଆଉ,

ବାର୍ତ୍ତାବହ, କହ ଏବେ ଯାଇ

ଦାଦାଙ୍କର ନିମନ୍ତ୍ରଣ

ଆଜି ମୁହିଁ ରଖିପାରୁ ନାହିଁ ।

ଚର୍ମକାର ବନ୍ଧୁ ଜଣେ

ଆଜି ସଞ୍ଜେ ଡାକିଛନ୍ତି ମତେ

ନାମ ସଂକୀର୍ତ୍ତନ ପାଇଁ ।

ତାହା ଏଡ଼ି ପାରିବି କେମନ୍ତେ ?’’

ପିତୃବ୍ୟ ବାରତା ପାଇଁ

ରୋଷଭରେ ବୋଇଲେ ବଚନ,

‘‘ଦୁର୍ଗତ ନାନକ ଆଜି

ରଖିଲାନି ମୋର ନିମନ୍ତ୍ରଣ ।

ବୁଝିଲାନି କାହା ପୁତ୍ର

କାହାର ସେ ଉତ୍ତରାଧିକାରୀ,

କେଉଁ ବଂଶଧର ସିଏ

ଆଜି ହେଲା କେଉଁ ପଥଚାରୀ ।

ବିଳାସର ଆୟୋଜନ

ଆମୋଦର ଉପଚାର ତେଜି

ଦୀନ ହୀନ ଜନ ମେଳେ

ଘୂରୁଅଛି କେଉଁ ଶ୍ରେୟ ହେଜି ।

ବୁଝିଲା ନି କିଏ ମୁହିଁ,

ଏ ଖଣ୍ଡର କେଡ଼େ ଜମିଦାର ।

ରଖିଲା ନି ମୋର ମାନ,

ବଡ଼ ହେଲା ଚର୍ମକାର ତାର ।

ବାର୍ତ୍ତାବହ କି ଭାବୁଛ ?

ପୁଣି ଯାଅ ତା ପାଖକୁ ଯାଅ,

ଆସିବାକୁ ପୁଣି କହ

ଏଇ ମୋର ଶେଷ ଅଭିପ୍ରାୟ ।’’

ଡଗର ଦେଖିଲା ଯାଇ

ଚର୍ମକାର-କୁଟୀର-ପ୍ରାଙ୍ଗଣେ

ନାନକ ରୁଚିର କଣ୍ଠେ

ମାତିଛନ୍ତି ନାମ-ସଂକୀର୍ତ୍ତନେ ।

ଜଣାଇଲା ଅଭିପ୍ରାୟ-

‘‘ଭୋଜନର ଦିବ୍ୟ ଆୟୋଜନ

ହୋଇଅଛି ତୁମପାଇଁ,

ସବୁ ଏବେ ହେବ ଅକାରଣ ।’’

‘‘ଏଲାଗେ ଆସୁଛି ଫେରି ।’’

କହି ଦେଇ କୋମଳ ବଚନେ

ଚାଲିଗଲେ ବଇରାଗୀ

ଦୂତ ସଙ୍ଗେ ସସ୍ମିତ ବଦନେ ।

‘‘ଡକାଇଲେ ପୁଣି କିପାଁ’’

ନମ୍ରଭାଷେ ବୋଇଲେ ନାନକ,

‘‘ସମ୍ବାଦ ଯେ ଦେଇଥିଲି

ଦେଇନି କି ସମ୍ବାଦବାହକ ?’’

ପିତୃବ୍ୟ ବୋଇଲେ, ‘‘ବାବା,

ତୋହଲାଗି ଉତ୍ସୁକ ମୋ ମନ,

ଆୟୋଜନ କରିଅଛି

ସାଥି ହୋଇ କରିବା ଭୋଜନ ।’’

‘‘ଆଜି ଏଥି କେଉଁପରି

ସାଥିହୋଇ କରିବା ଭୋଜନ ?

ଚର୍ମକାର ବନ୍ଧୁ ଘରେ

ଭୁଞ୍ଜିବାକୁ ଦେଇଚି ବଚନ ।’’

‘‘ନାନକ ତୁ କି ଭାବୁଚୁ ?

କି ଖାଦ୍ୟ ତୁ ପାଇବୁ ରେ ତହିଁ ?

ରୁଚି ଶୁଚି ଭୂଲି ଯାଇ

କି କଥା ଏ ଯାଉଅଛୁ କହି ?’’

‘‘କାହିଁପାଇଁ ଦାଦା ତୁମେ

ଦୁନିଆକୁ ହୀନ ମନେ କର ?

ତୁମେ ଯେଉଁ ଖାଦ୍ୟ ଦେବ

ତାହାଠାରୁ ନିଶ୍ଚୟ ତା ଭଲ ।’’

‘‘ମୋହ ଖାଦ୍ୟଠାରୁ ଭଲ,

କି କହୁଚୁ କି କହୁଚୁ ଆରେ

ପ୍ରମାଣ ତାହାର ଏବେ

ଦେ’ ମତେ ଦେ’ ଏଇଠାରେ ।’’

‘‘ପ୍ରମାଣ ଦେଉଚି ତାର’’ ।

କହି ଦେଇ କ୍ଷିପ୍ରପଦେ ଚଳି

ନାନକ ଫେରିଲେ ପୁଣି

ଦରପୋଡ଼ା ରୁଟି ଖଣ୍ଡେ ଧରି ।

‘‘ଦିଅ ତୁମ ଖାଦ୍ୟ ଏବେ ।’’

କହୁଁ କହୁଁ ପିତୃବ୍ୟ-ନିର୍ଦ୍ଦେଶେ,

ରଜତ ଥାଳୀରେ ଖାଦ୍ୟ

ଥୁଆ ହେଲା ଆଖିର ନିମେଷେ ।

ହାତକରେ ଥିଲା ରୁଟି

ଆର ହାତେ ତୋଳି ନେଲେ ପୁରୀ,

ନାନକ, ମୁଠିରେ ଧରି

ଜୋର କରି ଦେଲେତା ଚିପୁଡ଼ି ।

ବିସ୍ମୟେ ଦେଖିଲେ ଜନ,

କି ଝରିଲା ଉଭୟ ମୁଠିରୁ

ପୁରୀରୁ ଝରିଲା ରକ୍ତ

ଦୁଗ୍ଧ ଧାର ଝରିଲା ରୁଟିରୁ ।

ପିତୃବ୍ୟ କହିଲେ, ‘‘ବାବା,

ଦେଖୁଅଛି ଦିବ୍ୟ ତୁମ ମନ,

ଦୁଗ୍ଧ ସମ ସ୍ୱଚ୍ଛ ଶୁଭ୍ର

ନିଃସ୍ୱର ଓ ବିଶ୍ୱର ଜୀବନ ।’’

Image

 

ଯସ୍‍ମା

 

ଏକ

 

‘‘ବିଦୁ ଇଆ ପରି ଅନ୍ଧାର ଘର

ଉଜ୍ଜ୍ୱଳ କରି ଜାଣେ ନାହିଁ,

ଆଷାଢ଼ର ଧାରା ରଙ୍କ ଭୁବନ

ଇଆ ପରି ଭରି ଜାଣେ ନାହିଁ ।

ଚୋରା ଚଇତାଳୀ ସୁରଭିତ କରି

ପାରେ ନାହିଁ ଗିରି-ବନ-ତଳ,

ଶରତର ଶଶୀ ମତାଇ ପାରେ ନି

ଇଆ ପରି ସାରା ଜଳ ଥଳ ।

ରୂପ ସଂପଦେ ଅସମା,

ମାଳବିକା ଇଏ ଯସ୍‍ମା ।

ଧୂସର ପାହାଡ଼-ପାଦମୂଳେ,

ପାହାଡ଼ୀ ନଈର ଉପକୂଳେ,

ମାଟିଆ ଜାତିର ଏଇ ଗାଆ,

ଭରା ଫଗୁଣର ଉଲ୍ଲାସେ,

ପଳାସ ବଣର ଲାଲ ହାସେ,

ଭରି ଭରି ଦିଏ ବଣ-ରାହା ।

ଏଇ ସେ ଗାଆଁର

ଚାଳ କୁଡ଼ିଆର

ଜ୍ୟୋତ୍ସନା

ମାଳବିକା ଏଇ ଯସ୍‍ମା ।

ନାହିଁ ଜଞ୍ଜାଳ ନାହିଁ ଭିଡ଼,

ଗାଆଁର ମଝିରେ ତାର ନୀଡ,

ନାଥୁ ମାଟିଆର ମାଟିଆଣୀ,

ଉଷା-ସିନ୍ଦୂର ଭାଲପଟେ,

ଉଷସୀ-ଅଳତା ପାଦତଟେ

ଘେନି ଏ ହୋଇଚି ରୂପରାଣୀ ।’’

ଗୁର୍ଜରରାଜ ପଚାରିଲେ, ‘‘ଆହେ

ରୂପକାର,

ଚିତ୍ର ଦେଖାଇ ବାଢ଼ୁଅଛ ଏ କି

ରୂପ କାହାଣୀର ଉପଚାର ?’’

‘‘ରୂପ କଥା ନୁହଁ

ରୂପ କଥା ନୁହଁ

ସତ୍ୟର ଏ ମୋ ଉଚ୍ଛ୍ୱାସ,

ମୋର ଏ ବାରତା

ରାଇଜକରତା

କର ଟିକେ କର ବିଶ୍ୱାସ ।

ରୂପକାର ମୁହିଁ କେତେମତେ

ବହୁତ ମୁଲକେ ବହୁ ପଥେ

ଘୂରୁ ଅଛି,

ବର୍ଣ୍ଣ ତୁଳୀର ବଇଭବ

କରୁଚି ନିତ୍ୟ ଅନୁଭବ

କରୁଅଛି ।

ମାତ୍ର ଏଇଯେ ଯସ୍‍ମା

ମାଳବର ଶିରୀ-ସୁଷମା,

ଏଇ ନେତ୍ରରେ ଦେଖିଚି,

କିଂଚିତ ତାର

ଶିରୀ-ସଂଭାର

ଏଇ ଚିତ୍ରରେ ଲେଖିଚି ।’’

‘‘ଅଙ୍ଗାର-ଖଣି-ଅନ୍ଧାର-କୋଳେ

ରତ୍ନ ତେବେ ଏ ମାଳବିକା ।’’

 

ମୁଗ୍ଧ କଣ୍ଠେ ରୂପକାର କହେ,

‘‘ରାଜପୁର-ଲାଖି ରୂପଶିଖା ।’’

Image

 

ଦୁଇ

 

ଅଣହିଳବାଦେ ଶିବ-ସରୋବର

ଖୋଳା ହେଉଅଛି ଅବିରାମ,

ହଜାର ହଜାର ମାଟିଆ ମୂଲିଆ

କରୁଛନ୍ତି ଏ ମାଟି କାମ ।

ଶାବଳରେ କିଏ ମାଟି ତାଡ଼ୁଅଛି

ଜୋର କରି,

ଗାଣ୍ଡୁଆରେ କେ ମାଟି ଭରୁଅଛି

କୋଡ଼ି ଧରି ।

କିଏ କାହିଁ ଆନ ମଥା ଉପରକୁ

ମାଟି ବୋଝ ତୋଳି ଦେଉଅଛି,

ମନ୍ଦ ଗତିରେ ଚାଲି ଚାଲି କିଏ

ବନ୍ଧରେ ଢାଳି ଦେଉଅଛି ।

ବନ୍ଧ ହୁଡ଼ାର ଆରପାରି

ଚୂତ-ବନ-ଛାଏ ଧାଡ଼ି ଧାଡ଼ି

ହୋଇଅଛି ନୂଆ ପଲା ଘର

ନିର୍ଜନତାର ପଦା ଭୂଇଁ

ଚଳ ଜନତାର ପଦ ଛୁଇଁ

ସଜୀବ ସଜାଗ ମନୋହର ।

ବନ୍ଧରେ ମାଟି ଢାଳି ଦେଇ

ସେଆଡ଼ିକି କିଏ ହେମଦେହୀ

କପାଳ-ମୁକୁତା ପୋଛି ପୋଛି

ଶିଥିଳ କବରୀ ଖୋଲିଦେଇ

ବାନ୍ଧି ବାନ୍ଧି ଚାଲି ଅଛି ।

ପଲା ଘର ପାଖେ ମିଳି ଯାଇ

ସଂଭ୍ରମେ ବାଳା ଦେଲା ଚାହିଁ

ଝୁଲଣ ଦୋଳିରେ ବାଳୁତଟି

କନ କନ ମାଆ ଥନ ପାଇଁ ।

ଟିକି ପିଲାଟିର ଟିକି ଓଠେ

ଚୁମ୍ବନଟିଏ ବୋଳି ଦେଲା,

ଝୁଲିଣ ଦୋଳିରୁ ତରତରେ

ସିନିହ ସରାଗେ ତୋଳି ନେଲା ।

କାଞ୍ଚୁଲି ଅଧା ଖୋଲି ଦେଇ

ଉତ୍ସୁକେ ଅତି ଉତ୍ସୁକେ,

ସ୍ତନର ଚୁଚୁକ ଭରି ଦେଲା

ଶିଶୁ-ମୁଖେ ତାର ଶିଶୁ-ମୁଖେ ।

କନ କନ ହୋଇ ବାଳୁତଟି

ଚଅଁ ଚଅଁ କ୍ଷୀର ଶୋଷି ନେଲା;

ଜନନୀ ମୁହଁକୁ ଚାହିଁ ଚାହିଁ

ଆଖିରେ ଓଠରେ ହସି ଦେଲା ।

ପିଲାଟିକି ମାଆ ଆଗ ପରି

ଶୁଆଇ ଦେଲା ତା ଦୋଳି ପରେ,

ଦୋହଲାଇ ଦେଇ ଦୋଳିଟିକି

ଚୁମ୍ବନ ଦେଲା ଆଉ ଥରେ ।

ତରୁ ଉହାଡ଼ରେ ସେତେବେଳେ

ଅଜଣା କେ ବେନି ଜନ ଠିଆ,

ଲାଜରେ ଯସ୍‍ମା ଥରିଗଲା

ଡରିଗଲା ସତେ ତାର ହିଆ ।

ଛାତିରେ ଶାଢ଼ୀର ଅଞ୍ଚଳ

ଆଉଜାଇ ଦେଲା ଚଞ୍ଚଳ,

ଚୋରା ଚକ୍ଷୁର ସଂଧାନ

ବୁଝି ନେଲା ତାର ଅନ୍ତର ।

ତର ତର ହୋଇ ରୂପଲତା

ମାଟି-ଖୋଳା ଆଡ଼େ ଗଲା ଚାଲି,

‘‘ଯସ୍‍ମା ଯସ୍‍ମା ଯସ୍‍ମା ସେ’’

କହୁଥିଲା ଜଣେ ହାତ ଠାରି ।

‘‘ମିଥ୍ୟା ନୁହଇ ତୁମ ଛବି

ମିଥ୍ୟା ନୁହଇ ତୁମ କଥା’’,

ନୃପତି କହଇ ‘‘ସତରେ ଏ

ଫୁଲସ୍ତବିକିନୀ ରୂପଲତା ।’’

Image

 

ତିନି

 

‘‘କଥା ଶୁଣ ଆରେ କଥା ଶୁଣ,

ମଜୁରି ପାଉଚ ଦୁଇ ଗୁଣ;

ଡେରି କର କିଆଁ ଜାଣି ଜାଣି ?

ଖସି ଯାଉଅଛ ବାର ବାର ?’’

ବନ୍ଧ ଉପରେ ସରଦାର

ଶୁଣାଉଚି ତାର ସାବଧାନୀ ।

ତଥାପି କିଏ ସେ କେଉଁଠାଇଁ

କାମ କରି କରି ଥକି ଯାଇ

ଭୂଇଁ ତଳେ ବସି ପଡ଼ୁ ଅଛି,

‘‘ଆ, ଭାଇ ଆ’

ଢୋକେ ପିଇ ଯାଆ ।’’

ପିକା ଟାଣି ଧୂଆଁ ଛାଡ଼ୁ ଅଛି ।

ବନ୍ଧ ଉପରେ

ତରୁ-ଛାଇତଳେ

ନିଶ୍ଚଳେ ବସି ସରଦାର

ମାଟିଆଣୀ କେହି

ନଘେନିଲେ ନାହିଁ,

ଚତୁରେ ମାରୁଚି ଆଖି-ଠାର ।

ସେଇବାଟେ ଥରେ ଗଲାବେଳେ

ଏକୁଟିଆ ଦେଖି ଯସ୍‍ମାରେ;

ଲୋଲୁପ ଆଖିରେ ଚାହିଁ ଦେଇ

ମଜିଗଲା ତାର ସୁଷମାରେ ।

ନରମରେ ଡାକି ହସି ଦେଇ

ବାଣୀ ବଖାଣଇ ସରଦାର,

‘‘ଏଡ଼େ ସୁନ୍ଦର ଦିହରେ ତୁ

କାହିଁକି ବହୁଚୁ ଗୁରୁଭାର ?

ପିଲାଟିକି ସେଠି ଛାଡ଼ିଦେଇ

କହ କହ ଆରେ ରୂପବତୀ,

କାମ କରୁଅଛୁ ଏଠି ରହି

ଭାବି ପାରୁ ନାହୁଁ କେଉଁମତି ?’’

‘‘ଛୁଆ ଛାଡ଼ି ସେଠି କେତେ ନାରୀ

କାମ କରୁଛଁତି ମୋହ ଭଳି,

 

 

ବଣ ପାହାଡ଼ର ଝିଅ ବୋହୂ

କାମ କରୁ ଆମେ ଏଇପରି ।’’

‘‘ଆଉ ଯିଏ ଯାହା ତୁ କି ତାହା ?

ସରଗର ତୁ ତ ଅପସରା,

ତୁ ଚାହିଲେ ଏବେ କେଉଁ କଥା

ହୋଇ ପାରିବ ନି କହ ଭଲା ?

ତୋଅର ରୂପର ଝଲକ ଲୋ

ରାଜ-ଦୃଷ୍ଟିରେ ପଡ଼ିଲାଣି,

ଭିତରେ ଭିତରେ ତୁ ଜାଣିନୁ

ଭାଗ୍ୟ ଶିରୀ ତୋ ବଢ଼ିଲାଣି ।

ରାଜ-ଉପହାର ଦେଖି ନେ ।’’

ଅଙ୍ଗୀରୁ କାଢ଼ି ସରଦାର

ଯସ୍‍ମାର ଆଗେ ଦେଖାଇଲା

ଝଲ ଝଲ ଏକ ସୁନାହାର ।

‘‘କିଏ କେଉଁ ଆଡ଼ୁ ଆସୁଚି କି ?

ଚାହିଁଦେଇ କହେ ‘‘ନାହିଁ ନାହିଁ,

 

 

ନେଇ ଯାଆ ବେଗେ ନେଇ ଯାଆ

ରାଜ-ଉପହାର ତୋହ ପାଇଁ ।’’

ଯସ୍‍ମା-କଣ୍ଠ ଥରିଗଲା

‘‘ସାବଧାନ ଏବେ ସାବଧାନ,

ରାଜା ହୋଇ ସିଏ ଏଡ଼େ ଛୋଟ,

ଆମର ନାହିଁ କି ସନମାନ ?

ଏଠିକାର ଆମ ଜାତି ଭାଇ

ଇସାରା ପାଇଲେ ଏ କଥାର,

ଆଖି ପିଛୁଳାକେ କିସ ହେବ

ଭାବି ପାରୁଛ ତ ସରଦାର ?’’

Image

 

ଚାରି

 

ଯସ୍‍ମା କାତର ସ୍ୱର ତୋଳି

ଜଣାଇଲା ତାର ପ୍ରାଣ ଖୋଲି,

‘‘ଧର୍ମାବତାର ମହାରାଜ,

ରାଜଶିରୀ ବହି ମଥାପରେ

ରାଇଜର ପୁର ଗାଆଁଘରେ

କଅଣ କରୁଚ ତୁମେ ଆଜ ?’’

ନରପତି ରାଜ-ଦରବାରେ

ପାରିଷଦ ମେଳେ ବସିଥିଲେ,

ଶୁଣିଲେ ଆକୁଳ ଆବେଦନ-

‘‘ମୋ ପତିରେ କିଆଁ ଅବିଚାରେ

ବନ୍ଦୀ କରିଚ କାରାଗାରେ ?

ରାଜାର ଇଏ କି ଆଚରଣ ?

ପର ଝିଅ ବୋହୂ ତନୁ-ତୀରେ

ଚଳାଉଛ ତୁମ କାରବାର,

ଏଇଥିପାଇଁକି ବସାଇଛ

ଧର୍ମର ପୁଣି ଦରବାର ?

ମୋ ପତି କଲେ କି ପରମାଦ,

ମୋ ପତି କଲେକି ଅପରାଧ ?

ସବୁକଥା ରାଜା ଜାଣି ଜାଣି,

ରଚି ମିଥ୍ୟାର ଅଭିଯୋଗ

ଚାହୁଁଅଛ ମୋର ଦେହଭୋଗ,

ବୁଝିଚି ଯସ୍‍ମା ମାଟିଆଣୀ ।’’

ରୁକ୍ଷ ଗଳାରେ ସେତେବେଳେ

ଶୁଣାଇଲା କିଏ ଦରବାରୀ,

‘‘ଇଆର ଫଳ କି ଜାଣୁନାହୁଁ,

କଅଣ କହୁଚୁ ହୀନ ନାରୀ ?

‘ହୀନ ନୁହେ ମୁହିଁ ମାଟିଆଣୀ,

ନିଆଁ ଜଳୁ ଅଛି ମୋର ପ୍ରାଣେ,

ଯିଏ ଛୁଇଁ ଦେବ ଜଳି ଯିବ,

ମୋହର ଜୀବନ ମୁଇଁ ଜାଣେ ।

‘‘ଦେଖିବ କେମିତି ମୋ ଜୀବନ ?’’

ଦେଖାଇଲା ଏକ ଛୁରୀ କାଢ଼ି,

ଆଖି-ପିଛୁଳାକେ ତଡ଼ବଡ଼ି

ବୁକୁ-ସଂକଟେ ଦେଲା ମାରି ।

ସାଥେ ସାଥେ ସେଇ ମାଟିଆଣୀ

ଲୋଟିଗଲା ସେଇ ଭୂଇଁଭାଗେ

ଦେଖିଲେ ରାଜନ, ସଭାଜନ

ଶୋଣିତଚିତ୍ର ଆଖି-ଆଗେ ।

Image

 

ପାଞ୍ଚ

 

ନୀଳ ନିର୍ଜନ ଉପବନେ କୋଳେ

ଗୁର୍ଜର ଦେଶ-ନରପାଳ

ଧୂସର କଣ୍ଠେ ପଚାରିଲେ ଦିନେ,

‘‘କି କହୁଚ ଆହେ ରୂପକାର ?

କି କହୁଚ ଆଜି

କି ଭାବୁଚ ତୁମେ ?

ଯସ୍‍ମା ସେଇ ଯେ ଯସ୍‍ମା,

ମାଟିର କୁଟୀରେ

ଜଳି ଉଠୁଥିଲା

ଅତି ଅଦ୍ଭୁତ ବିଷମା ।

ବିଜୁଳି କନ୍ୟା ପରାଏ କି କଥା

ହାଣିଦେଇ ମୋର ବକ୍ଷେ

ଆଖିର ପଲକେ ଚଳ ଚଂଚଳା

ଚାଲିଗଲା ତାର ଲକ୍ଷ୍ୟେ ।

ମରଣର ପଥ ବରି ନେଇଗଲା

ବକ୍ଷ-ରକତ ଢାଳି ଦେଇ

ଏତେ ଦିନର ମୋ ରାଜ-ସନମାନ

ଆଖିର ପଲକେ ଟାଳିଦେଇ ।

ଉଷାର ରକ୍ତ ଅନ୍ଧାରେ ଯଥା,

ଆଲୋକର ପଥ ଖୋଲି ଯାଏ,

ଯସ୍‍ମାର ଲହୁ ଜୀବନେ ମୋହର

ଆଲୋକର ବାଣୀ ବୋଲି ଯାଏ ।

ବନ୍ଧୁ ହେ ମୋର ରୂପକାର

ଦିଅ ଆଜି ନୂଆ ଉପଚାର

ଦିଅ ତାର ସେଇ ଚିତ୍ର,

ଅଭିଶପ୍ତର

ଅନୁତପ୍ତର

ବିବ୍ରତ ଆଜି ଚିତ୍ତ ।’’

ଉତ୍ତରୀ ଖୋଲି ରୂପକାର ତେବେ

ସଁପି ଦେଲା କିବା ରାଜକରେ,

ପଲକ-ବିହୀନ ନୃପତି-ନୟନ

ରହିଲା ଚିତ୍ର-ଲେଖା ପରେ ।

‘‘ଯସ୍‍ମାର ଲହୁ ଦେଇ ଆଙ୍କିଛି’’

କହଇ ମୁଗ୍ଧ ରୂପକାର,

‘‘ଜୀବନ୍ୟାସ ଏ ପାଇଅଛି ତେଣୁ

ତବ ଯୋଗ୍ୟ ଏ ଉପହାର ।’’

Image

 

ରାମୀ ଓ ଚଣ୍ଡୀଦାସ

 

‘‘ବାର ବାର କିଆଁ ତୁମେ ସମାଜର ଲାଂଛନା ବଂଚନା’’

ସହୁଅଛ ମୋହଲାଗି ? ଭୁଲିଯାଅ, ଯାଅ ମତେ ଭୁଲି,

ତୁମେ ଆଜି ଭୁଞ୍ଜ ତୁମ ଜୀବନର ଅକ୍ଷତ ମାଧୁରୀ,

ଗଉରବେ ସନମାନେ କର ତୁମ ସଂସାର ରଚନା ।

ବିଦାୟ ମାଗୁଚି ଆଜି ଅଭାଗୀ ମୁଁ ରଜକିନୀ ରାମୀ

ଦେଖିପାରିବିନି ଆଉ ତୁମର ଏ ଆରକ୍ତ ବେଦନା;

ପଥର ଯେପଥ୍ୟେ ରହି ବାଢ଼ିବି ମୋ ପୂଜା ନୀରାଜନା;

ସ୍ମୃତିର ମହକେ ମୁହିଁ ପୁହାଇବି ମୋର ଦିବା ଯାମୀ ।’’

ଭାଙ୍ଗିଗଲା ଢେଉ ଭଳି କହୁଁ ବହୁଁ ଅଶ୍ରୁର କାହାଣୀ

ଲୋଟିଗଲା ପ୍ରେମମୟୀ, ଚଣ୍ଡୀଦାସ ବକ୍ଷେ ଚାପିଧରି

ଢାଳି ଦେଲେ ହୃଦୟର ପୀୟୂଷର ଉବ୍ଦେଳ ଲହରୀ,

‘‘କି କହୁଚ, କି କହୁଚ ରାମୀ ମୋର ପାଗଳିନୀ ରାମୀ ?

କାବ୍ୟର ନାୟିକା ତୁମେ ବିଶ୍ୱେ ମତେ କରିଅଛ କବି,

ପ୍ରଣୟୀ କରିଚ ମତେ ଆଗୋ ମୋର ପାଗଳିନୀ ରାଧା ।

ଏତେ ପରେ ଆଜିପୁଣି କହୁଅଛି ଇଏକି ସମାଧା ?

ନିଶା-ଅଭିସାରେ ପୁଣି ଶୁଣାଉଛ ଏ କି ଭଇରବୀ ?

ତୁମେ ଅଛ, ମୁଁଉ ଅଛି ଆଜିର ଏ କାକଜ୍ୟୋତ୍ସ୍ନା ଅଛି,

ମଳୟର ଢେଉ ଅଛି, ପ୍ରକୃତିର ଅଛି ସ୍ନେହ-କୋଳ,

କି କରିବ ସମାଜର ଷଡ଼ଯନ୍ତ୍ର କଠିନ କଠୋର ?

ଆମର ସମାଜ ଆମେ ଏଇଠାରେ ପାରିବାନି ରଚି ?’’

Image

 

ଟିପ୍ପଣୀ

 

ବାଲ୍ମୀକି

 

ରାମାୟଣର ବାଲ୍ମୀକି ନୁହନ୍ତି–ମହାଭାରତର । ଜାତିରେ ମୋଚି ହେଲେହେଁ ଏକ ସ୍ୱଚ୍ଛ ଓ ଅନାବିଳ ପୁଣ୍ୟାତ୍ମା ଭାବରେ ସ୍ମରଣୀୟ ।

 

ରକ୍ତ ଓ ଦୁଗ୍ଧ

 

ଶିଖଗୁରୁ ନାନକଙ୍କ ଜୀବନର ଗୋଟିଏ ଘଟନା ।

 

ଯସ୍‍ମା

 

Charles A Kincaid C.V.O. I.C.S. (Retd) Officer de L Institution Publique ତାଙ୍କ Heroines of Indiaରେ ଯସ୍‍ମା କଥା ପ୍ରାଞ୍ଜଳ ଭାବରେ ଲେଖିଛନ୍ତି, ଭୂମିକାରେ ଦେଇଛନ୍ତି- The Story of Jasma, the oden will be found in Forbes Rasmal and is wellknown in Kathiawar and Gujrat pepole । ଶ୍ରୀଯୁକ୍ତ K.M. Munsi ତାଙ୍କର The Glory that was Gurjaradesa (ତୃତୀୟ ଭାଗ ପୃ ୧୭୭) ରେ ଯସ୍‍ମା ଓଡ଼ଣ କଥା ଐତିହାସିକ ବୋଲି ଗ୍ରହଣ କରି ନ ଥିଲେ ମଧ୍ୟ ସୁପରିଚିତ ଇତିକଥା ଭାବରେ ସ୍ୱୀକୃତି ଦେଇଛନ୍ତି । ଗୁଜୁରାଟର ଅଣହିଳବାଦ (anhilawada) ରେ ସହସ୍ରଲିଙ୍ଗ ତଲାଉ ଖୋଳା ହେଉଥିଲା । ମାଳବର ହଜାର ହଜାର ଓଡ଼ଣ (ମାଟିଆ) କାର୍ଯ୍ୟ କରୁଥିଲେ, ଯସ୍‍ମା ଜଣେ ମାଟିଆଣୀ । ପ୍ରତିପାଦ୍ୟ ରାଜା ଗୁଜରାଟର ଜୟସିଂହ ସିଦ୍ଧରାଜ ।

Image